ଛୁଆ ଚୋରି ସନ୍ଦେହ – ଗାଡି ଚାଳକକୁ ଲଙ୍ଗଳା କରି ପିଟିଲେ ଅନ୍ୟପଟେ ଦୁଇ ମହିଳାଙ୍କୁ ପୁଲିସର ଜିମା ଦେଲେ

ଅନୁଗୁଳ – ପିଲା ଚୋର ଗୁଜବ ପାଇଁ ଗାଡି ଚାଳକ ଯୁବକଙ୍କୁ ଅମାନୁଷିକ ମାଡ ମାରିଲେ ଯୁବ ଗୋଷ୍ଠୀ । ଯୁବକକୁ ଉଦ୍ଧାର କରିବାକୁ ଯାଇ ପୁଲିସ ଏବଂ ଯୁବଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ମଧ୍ୟ ହେଲା । ପରେ ଗୁରୁତର ଯୁବକକୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ପାଲଲହଡ଼ା ପୁଲିସ।
ଏମିତି ଏକ ଅଭାବନୀୟ ଅମାନୁଷିକ କାଣ୍ଡ ଦେଖିବାକୁ ମିଳିଛି ସୋମବାର ରାତି ପାଲଲହଡ଼ା ସହର ଉପକଣ୍ଠ ଶିବମନ୍ଦିର ଛକ ଠାରେ ଥିବା ଏକ ଢାବା ସମ୍ମୁଖରେ। ସୂଚନା ଅନୁସାରେ ରାତି ୯ ଟା ବେଳେ ପଡୋଶୀ ଜିଲ୍ଲା କେଉଁଝରର ତେଲକୋଇ ବ୍ଲକ ଜଗମୋହନପୁର ଅଞ୍ଚଳରୁ ପିଲା ଚୋରି କରି ଏକ କଳା ରଙ୍ଗର ଟାଟା ହେରିଆର ଗାଡିରେ ନେଉଥିବା ଖବର ପ୍ରସାରିତ ହୋଇଥିଲା। ସେହି ଅଞ୍ଚଳର କିଛି ଯୁବକ ମାନେ ଗାଡିର ପିଛା କରି ସ୍ଥାନୀୟ ଯୁବକ ମାନଙ୍କ ସହାୟତା ରେ OD 15 Z 0315 ଗାଡିକୁ ଉକ୍ତ ଢ଼ାବା ନିକଟ ରେ ଅଟକ ରଖି ଥିଲେ । ତେବେ କେବଳ ଜଣେ ଯୁବକ ଗାଡି ଚଳାଉ ଥିବା ବେଳେ କୌଣସି ପିଲା କିମ୍ବା ଶିଶୁ ଗାଡିରେ ନଥିଲେ । ପାଲଲହଡା ପୁଲିସ ମଧ୍ୟ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲା । ମାତ୍ର ପିଲା ଚୋରି ଘଟଣା ଶୁଣି ଉତକ୍ଷୀପ୍ତ ଯୁବ ଗୋଷ୍ଠୀ ଅତି ଅମାନୁଷିକ ଭାବେ ପୁଲିସ ର ଉପସ୍ଥିତିରେ ଗାଡି ଚାଳକକୁ ମାଡ ମାରି ଲହୁଲୁହାଣ କରିଦେଇଥିଲେ । ପ୍ରାୟ ଅଧଘଣ୍ଟାଏ ପର୍ଯ୍ୟନ୍ତ ଏଭଳି ଅମାନୁଷିକ କାର୍ଯ୍ୟ ଚାଲିଥିଲା ବେଳେ ଭିଡକୁ ଆୟତ୍ତ କରିବାରେ ପୋଲିସ ସମ୍ପୂର୍ଣ ବିଫଳ ହୋଇପଡିଥିଲା । ଖବର ପାଇ ଉପଖଣ୍ଡ ପୁଲିସ ଅଧିକାରୀ କୈଳାସ ଚନ୍ଦ୍ର ସେଠୀ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଭିଡରୁ କ୍ଷତାକ୍ତ ଯୁବକକୁ ଉଦ୍ଧାର କରି ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇଥିଲେ। ଉପଖଣ୍ଡ ପୁଲିସ ଅଧିକାରୀ ଙ୍କ ନେତୃତ୍ଵରେ ସ୍ଵତନ୍ତ୍ର ଟିମ୍ ଘଟଣାର ତଦନ୍ତ କରୁଥିବା ବେଳେ ଖୁବଶୀଘ୍ର ସତ କଣ ଜଣାପଡିବ ଏବଂ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଖଣ୍ଡ ପୁଲିସ ଅଧିକାରୀ ସୂଚନା ଦେଇଥିଲେ।

ସେହିପରି ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜରାସିଂହା ଗ୍ରାମବାସୀ ଛୁଆ ଚୋରି ଅଭିଯୋଗରେ ଦୁଇ ମହିଳାଙ୍କୁ ପୁଲିସ ଜିମାରେ ଦେଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ , ଆଜି (ମଙ୍ଗଳବାର) ଦିନ ଦ୍ବିପ୍ରହର ବେଳା ଦୁଇ ମହିଳା ଜରାସିଂହା ଗ୍ରାମରେ ବୁଲୁଥିଲେ । ଜରାସିଂହା ଗ୍ରାମର ଲକ୍ଷ୍ମୀ ବଜାର ଛକ ଅଞ୍ଚଳର ସଂଜୟ ସ୍ୱାଇଁ ଏବଂ ଶୁଭଶ୍ରୀ ବେହେରାଙ୍କ ତିନି ମାସର ଶିଶୁ କନ୍ୟାଙ୍କୁ ଦୁଇ ମହିଳା ଧରିଥିବା ବେଳେ ଗ୍ରାମବାସୀ କାବୁ କରିଥିଲେ। ଶୁଭଶ୍ରୀଙ୍କ କହିବା ଅନୁଯାଇ ତାଙ୍କ ସ୍ଵାମୀ ସଂଜୟ କାମ କରି ଯାଇଥିବା ବେଳେ, ଶାଶୁ ମଙ୍ଗଳା ପୂଜା କରିବା ପାଇଁ ଯାଇଥିଲେ। ତିନି ମାସର ଶିଶୁ କନ୍ୟାଙ୍କୁ ଶୁଭଶ୍ରୀ ଘର ବେଡ୍ରେ ଶୁଆଇ ଦେଇ ଶୌଚାଳୟକୁ ଯାଇଥିବା ବେଳେ ଦୁଇ ଅଣ ଓଡିଆ ମହିଳା ଘର ଭିତରେ ପଶି ଜଣେ ମହିଳା ଶିଶୁ କନ୍ୟାକୁ ଏବଂ ଅନ୍ୟ ମହିଳା ଜଣଙ୍କ ଶୁଭଶ୍ରୀ ରଖି ଥିବା ଟଙ୍କା ଭେନିଟି ବ୍ୟାଗକୁ ଧରି ଯାଉଥିବା ବେଳେ ଶୁଭଶ୍ରୀ ଦୁଇ ମହିଳାଙ୍କୁ ଦେଖି ଥିଲେ। ତମେ ମାନେ କିଏ ବୋଲି ପଚାରିବାରୁ ଦୁଇ ମହିଳା ପ୍ରଥମେ କିଛି କହି ନଥିଲେ। ଯାହା ଫଳରେ ଦୁଇ ମହିଳାଙ୍କ ଠାରୁ କନ୍ୟାଙ୍କୁ ଛଡାଇ ଆଣି ଥିଲେ । ମୋ ଛୁଆକୁ ନେଈ ଯାଉଥିବା ଚିତ୍କାର କରିବାରୁ ଦୁଇ ମହିଳା ପଳାଉ ଥିବା ବେଳେ ଗାଁ ଲୋକ କାବୁ କରିଥିଲେ। ଦୁଇ ମହିଳାଙ୍କୁ ଗାଁ ଲୋକ ନେଇ ଭାଗବତ ଘର ଅଟକ ରଖି ସଦର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଦୁଇ ମହିଳାଙ୍କୁ ପୁଲିସ ଥାନାକୁ ଆଣି ଅଟକ ରଖି ପଚରା ଉଚରା କରୁଛି । ତେବେ ପିଲା ଚୋରି ଏକ ଗୁଜବ , ବର୍ତ୍ତମାନ ସୁଦ୍ଧା ଏଭଳି କୌଣସି ମାମଲା କୌଣସି ଥାନାରେ ରୁଜୁ ହୋଇ ନଥିବା ଜଣା ପଡ଼ିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page