
ଅନୁଗୋଳ – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଆଜି ପୂର୍ବାହ୍ନ ୧୧ଟାରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ବାହାରିଥିବା ବେଳେ ଫଳାଫଳ ବେଶ୍ ଉତ୍ସାହଜନକ ରହିଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ରେଜଲ୍ଟ ବେଶ୍ ଭଲ ହୋଇଥିବା ବେଳେ ଛାତ୍ରଙ୍କ ତୁଳନାରେ ଆଗରେ ଅଛନ୍ତି ଛାତ୍ରୀ । ଏଥର ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୮୪.୯୩% ରହିଛି। ଜିଲ୍ଲାର ପ୍ରତିଷ୍ଠିତ ଅନୁଗୋଳ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସ୍ୱାତି ସାଗରିକା ଆଚାର୍ଯ୍ୟ ୯୫.୧୬ ପ୍ରତିଶତ ନମ୍ବର ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବାବେଳେ ମୋଟ ୬୦୦ ନମ୍ବରରୁ ରଖିଛନ୍ତି ୫୭୧ ନମ୍ବର ଟପର ହୋଇଥିବାବେଳେ, ପରୀକ୍ଷା ଫଳକୁ ନେଇ ଖୁସି ପ୍ରକଟ କରିବା ସହ ଆଶାନୁରୂପ ହୋଇଥିବା କହିଛନ୍ତି । ନିଜ ସଫଳତାର ଶ୍ରେୟ ପିତାମାତା , ଶିକ୍ଷାନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା ଓ ଘରୋଇ ଶିକ୍ଷନୁଷ୍ଠାନର କର୍ମକର୍ତ୍ତା ଓ ଶିକ୍ଷକଙ୍କୁ ଦେଇଛନ୍ତି । ପରୀକ୍ଷା ପୂର୍ବରୁ ବିନା ଚାପରେ ପ୍ରସ୍ତୁତି କରିବା ସହ ବୋର୍ଡ଼ ପରୀକ୍ଷାରେ କିଭଳି ଭଲ କରିବେ ସେ ନେଇ ଆଗ୍ରହ ସହକାରେ ଅଧ୍ୟୟନ କରିଥିବା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । +୨ ବିଜ୍ଞାନରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବାପରେ କମ୍ପ୍ୟୁଟର ସାଇନ୍ସ ବିଷୟ ରଖି ପାଠ ପଢ଼ି ଭବିଷ୍ୟତରେ ଜଣେ ସଫ୍ଟଓୟାର ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଥିବା ସ୍ୱାତି ସାଗରିକା କହିଛନ୍ତି । ପାଠକୁ ଭଲଭାବେ ବୁଝିବା ସହ ଗୁରୁଙ୍କୁ ସମ୍ମାନ ଦେଲେ ନିଶ୍ଚୟ ସଫଳତା ମିଳିବ ବୋଲି ଦୃଢ଼ତାର ସହ କହିଛନ୍ତି ସେ ।


