ହିଙ୍ଗୁଳା ପୀଠରେ ସଂସ୍କୃତିର ମହାକୁମ୍ଭ: ଆସାମର ‘ବିହୁ’ ନୃତ୍ୟରେ ଦୁଲୁକିଲା ତାଳଚେର

ତାଳଚେର – ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ୨୨ତମ ଲୋକ ମହୋତ୍ସବ ଆଜି ପଞ୍ଚମ ଦିବସରେ ପହଞ୍ଚିଛି। ଗୋପାଳ ପ୍ରସାଦ ପୀଠରେ ଆଜି ଭକ୍ତି, ଶ୍ରଦ୍ଧା ଓ ଆମୋଦ-ପ୍ରମୋଦର ଏକ ଅପୂର୍ବ ମାହୋଲ ଦେଖିବାକୁ ମିଳିଛି। ଅଗ୍ନି ସ୍ୱରୂପିଣୀ ମା’ଙ୍କୁ ଦର୍ଶନ କରିବା ସହ ମୀନାବଜାରର ଭରପୂର ମଜା ନେବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି।

ଏହି ଅବସରରେ ଅନୁଷ୍ଠିତ ହୋଇଥିବା ଲୋକ ମହୋତ୍ସବର ରଙ୍ଗାରଙ୍ଗ ସନ୍ଧ୍ୟା ତାଳଚେର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଆଶିଷ ରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ସଭାପତି ଶ୍ରୀ ସାହୁ ତାଳଚେରର ପୂର୍ବତନ ଉପଜିଲ୍ଲାପାଳ ତଥା ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସମୀର କୁମାର ଜେନାଙ୍କ କାର୍ଯ୍ୟକାଳକୁ ମନେ ପକାଇବା ସହ ତାଙ୍କର କାର୍ଯ୍ୟଦକ୍ଷତାକୁ ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଜେନା ନିଜ ଅଭିଭାଷଣରେ ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇ କହିଥିଲେ ଯେ, “ମା’ ହିଙ୍ଗୁଳାଙ୍କ ମହିମା କେବଳ ତାଳଚେରରେ ସୀମିତ ନୁହେଁ, ଏହା ସାରା ବିଶ୍ୱରେ ରହିଛି। ମା’ଙ୍କ ଲୀଳା ସମଗ୍ର ବିଶ୍ୱରେ ପ୍ରଚାର ପ୍ରସାର ହେବା ଆବଶ୍ୟକ।” ସେ ଆହୁରି ମଧ୍ୟ କହିଥିଲେ ଯେ, ଜଣେ ମା’ଙ୍କୁ ସେ ତାଳଚେରରେ ପାଇଥିବା ବେଳେ ଆଉ ଜଣେ ମା’ ଠାକୁରାଣୀଙ୍କୁ ସେ ଗଞ୍ଜାମରେ ପାଇଛନ୍ତି। ମା’ଙ୍କ ଆଶୀର୍ବାଦ ସର୍ବଦା ତାଙ୍କ ସାଥୀରେ ରହିଛି ଏବଂ ଏହି ମାଟିକୁ ଅତିଥି ରୂପେ ଆସି ସେ ନିଜକୁ ଧନ୍ୟ ମନେ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଆଠମଲ୍ଲିକ ଉପଜିଲ୍ଲାପାଳ ଶ୍ରୀ ଉପେନ୍ଦ୍ର ଲୋହା, କଣିହାଁ ବି.ଡି.ଓ ଶ୍ରୀ ତ୍ରିବିକ୍ରମ କୁମୁରା ଏବଂ କଣିହାଁ ତହସିଲଦାର ଶ୍ରୀ ଚିନ୍ମୟ ଦାସ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ।

ଆଜିର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଆସାମର ପ୍ରସିଦ୍ଧ ‘ବିହୁ’ ନୃତ୍ୟ ଏବଂ ବିଭିନ୍ନ ପ୍ରକାରର ଲୋକନୃତ୍ୟ ମଞ୍ଚକୁ ଦୁଲୁକାଇ ଦେଇଥିଲା। ଏହା ସହ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ପଙ୍କଜ ଜାଲ, ମାନସୀ ପାଣିଗ୍ରାହୀ ଏବଂ ସୁମନ୍ତ କୁମାରଙ୍କ ସୁମଧୁର ସ୍ୱରରେ ଶ୍ରଦ୍ଧାଳୁମାନେ ବିଭୋର ହୋଇଥିଲେ। ପିପିଲିର ମା’ ବୀଣାକେଶ୍ୱରି ନୃତ୍ୟ ମଞ୍ଜରୀ, ଅନୁଗୋଳର ଅମୃତ ଅନୁଷ୍ଠାନ ସହ ସ୍ଥାନୀୟ ବ୍ରାହ୍ମଣୀ ଡ୍ୟାନ୍ସ ଗ୍ରୁପ୍, ରାଧା କ୍ରିଷ୍ଣା ଏକାଡ଼େମୀ, ଶ୍ରୀ ଆରିବିନ୍ଦ ସ୍କୁଲ ଏବଂ ନୃତ୍ୟ ଶ୍ରୀ ଧାରାର ଶିଳ୍ପୀମାନେ ନିଜର ଚମତ୍କାର ପ୍ରତିଭା ପ୍ରଦର୍ଶନ କରିଥିଲେ।


ଯାତ୍ରା ପଡ଼ିଆରେ ବିଶାଳକାୟ ରାମ ଦୋଳିଠାରୁ ଆରମ୍ଭ କରି ଶତାଧିକ ବ୍ୟବସାୟିକ ଷ୍ଟଲ୍‌ରେ ଆଜି ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳାର ସହ ମହୋତ୍ସବ ସମ୍ପନ୍ନ ହୋଇଛି। ପରିଶେଷରେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସମସ୍ତ ଅତିଥି ଓ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page