ତାଳଚେର – ଅନୁଗୁଳ ତାଳଚେର ବିଜୁ ପଟ୍ଟନାୟକ ପ୍ରଶିକ୍ଷକ ତାଲିମ ଅନୁଷ୍ଠାନରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଆସିଛି । ପ୍ରଶିକ୍ଷକ ତାଲିମ ଅନୁଷ୍ଠାନର କେନ୍ଦ୍ର ପରିଚାଳକ ଫାଲଗୁନି ମିଶ୍ର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଛାତ୍ରୀ ଜଣଙ୍କ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇ ତାଳଚେର ପୁଲିସ୍ ପହଞ୍ଚି ଅସଦାଚରଣ କରିଥିବା କେନ୍ଦ୍ର ପରିଚାଳକଙ୍କୁ ଅଟକ ରଖି ପଚରାଉଚରା ଜାରି କରିଛିି।

ସୂଚନା ଅନୁସାରେ , କେଉଁଝର ଜିଲ୍ଲାର ଛାତ୍ରୀ ଜଣକୁ କେନ୍ଦ୍ର ପରିଚାଳକ ତାଙ୍କ ଘରକୁ ନେଇ ଦେବା ବାଟରେ ତାଙ୍କୁ ଅସଦାଚରଣ କରିବା ସହ ତାଙ୍କୁ ମଧ୍ୟ ରାତ୍ରିରେ ଫୋନ କରିବା ସହିତ ନିଜ ଘରକୁ ଆସିବାକୁ କହିଥିଲେ । ଯାହାକୁ ଛାତ୍ରୀ ଜଣକ ବାରଣ କରିବା ସହିତ ଆଜି ଏ ନେଇ ପ୍ରଥମେ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ପରେ ଏ ନେଇ ଛାତ୍ରୀ ଜଣଙ୍କ ତାଳଚେର ଥାନାର ଦ୍ବାରସ୍ଥ ହୋଇଥିଲେ । ଥାନାରେ ଅଭିଯୋଗ ପାଇ ପୁଲିସ୍ ସଙ୍ଗେ ସଙ୍ଗେ ବିଜୁ ପଟ୍ଟନାୟକ ପ୍ରଶିକ୍ଷକ ତାଲିମ ଅନୁଷ୍ଠାନରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତ ପରିଚାଳକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଅନ୍ୟ ପଟେ ଜିଲ୍ଲା ଦକ୍ଷତା ବିକାଶ -ତଥା ନିୟୋଜନ ଅଧିକାରୀ ଦେବାଶିଷ ସାହୁ ଶିକ୍ଷା ଅନୁଷ୍ଠାନରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ଏହାର ତଦନ୍ତ ଜାରି ରଖିଥିଲେ । ପୂର୍ବରୁ ଏଭଳି ଗୋଟିଏ ଘଟଣା ଘଟିଥିବାରୁ ଜଣେ ଛାତ୍ରୀ ଶିକ୍ଷା କେନ୍ଦ୍ର ଛାଡ଼ି ଦେବା ସହିତ ନିଜ ତାଲିମ ନେବା ବନ୍ଦ କରି ଦେଇଛନ୍ତି । ଅପର ପକ୍ଷରେ ଝିଅକୁ ଅସଦାଚରଣ ହୋଇଥିବା ଖବର ପାଇ ଛାତ୍ରୀଙ୍କ ପରିବାର ଲୋକେ ଶିକ୍ଷାନୁଷ୍ଠାନରେ ପହଞ୍ଚି ଝିଅକୁ ନ୍ୟାୟ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି । ଅନ୍ୟପଟେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।