ଅନୁଗୁଳ – ଅନୁଗୁଳ ଜିଲ୍ଲାର ଦୁଇଟି ସ୍ଥାନରେ ଦୁର୍ଘଟଣା ଘଟି ତିନି ଜଣଙ୍କର ମୃତ୍ୟୁ ହୋଇଛି । ଜରପଡା ଥାନା ଉଗୀ ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ମୋଟରସାଇକେଲ ଦୁର୍ଘଟଣା ହେବା ଫଳରେ କଞ୍ଜରା ଗାଁର ଲକ୍ଷ୍ମଣ ସାଗୁ ନାମକ ଜଣେ ଯୁବକଙ୍କୁ ମୃତ୍ୟୁ ହୋଇଥିଲା । ସେଇଭଳି ବନ୍ତଳା ଥାନା ତୁମୁଣି ନିକଟରେ ଆଉ ଏକ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ ହେବାରୁ ଆଠଗଡ଼ ଅଞ୍ଚଳର ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ , ଅନଗୁଳ ଜିଲ୍ଲା ଜରପଡା ଥାନା କଞ୍ଜରା ଗାଁର ଲକ୍ଷ୍ମଣ ସାହୁ ନାମକ ଜଣେ ଯୁବକ ଅନ୍ତୁଳିଆ ପଟୁ ଏକ ମୋଟରସାଇକେଲରେ ଘରକୁ ଫେରୁଥିବା ବେଳେ ଗୋଟିଏ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଲକ୍ଷ୍ମଣ ଭାରସାମ୍ୟ ହରେଇ ଗଛରେ ପିଟି ହୋଇ ଯାଇଥିବା ବେଳେ ସେଇଠି ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ଜରପଡା ପୁଲିସ ପହଂଚି ତଦନ୍ତ କରିବା ସହ ମୃତ ଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବେଛେଦ ପାଇଁ ପଠାଇଛି ।
ସେହିପରି ଆଠଗଡ଼ ତିଗିରିଆ ବ୍ଲକ ଅନ୍ତର୍ଗତ ସୁଣ୍ଠପାଳ ଗ୍ରାମର ଅମର ରାଉତ ଓ ପ୍ରଭାତ ରାଉତ ଝାରସୁଗୁଡ଼ା ବେଦାନ୍ତ କାରଖାନାରେ କାମ କରୁଥିବା ବେଳେ ଆଜି (ଶନିବାର) ଉଭୟ ଏକ ବୁଲେଟ ଗାଡ଼ିରେ ଝାରସୁଗୁଡ଼ାରୁ ଘରକୁ ଯାଉଥିଲେ । ତେବେ ବନ୍ତଳା ଥାନା ଅନ୍ତର୍ଗତ ତୁମୁଣି ଗ୍ରାମ ନବୋଦୟ ବିଦ୍ୟାଳୟ ସମ୍ମୁଖରେ ରାସ୍ତା କଡ଼ରେ ଥିବା ଏକ ପିଲରରେ ଭାରସାମ୍ୟ ହରାଇ ସେମାନଙ୍କ ମୋଟରସାଇକେଲ ବାଡ଼େଇ ହୋଇ ଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ବନ୍ତଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଉଭୟଙ୍କ ବ୍ୟବେଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

