ଅନୁଗୁଳ – ଅନୁଗୁଳ କାରାଗାରରେ ବିଚାରାଧୀନ ଅବସ୍ଥାରେ ଥିବା ଜଣେ କଏଦୀଙ୍କ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ କଏଦୀ ଜଣଙ୍କ ହେଲେ ଜରପଡ଼ା ଥାନା ଅନ୍ତର୍ଗତ ବଡହିଂସର ଗ୍ରାମର ରଘୁନାଥ ସାହୁ (୬୬) ବୋଲି ଜଣା ପଡିଛି। ସୂଚନା ଯେ, ଗତ ୨୦୨୩ ମସିହା ଅପ୍ରେଲ ମାସରୁ ଏକ ହତ୍ୟା ମାମଲାରେ ରଘୁନାଥ ସାହୁ(୬୬) ଏବଂ ତାଙ୍କ ପୁଅ ମାନସ ରଞ୍ଜନ ସାହୁ (୩୦) ପାଖାପାଖି ଅଢେଇ ବର୍ଷ ହେଲା ଅନୁଗୁଳ କାରାଗାରରେ ବିଚାରାଧୀନ କଏଦୀ ଭାବେ ଥିଲେ । ରଘୁନାଥ ଉଚ୍ଚ ରକ୍ତ ଚାପ ରୋଗରେ ପୀଡିତ ଥିଲେ । ଏଥିପାଇଁ ନିୟମିତ କାରାଗାରକୁ ପରିବାର ଲୋକ ମେଡ଼ିସିନ୍ ପଠାଇ ଥାନ୍ତି । ଗତ ତିନି ଦିନ ତଳେ ରଘୁନାଥ ଏବଂ ମାନସଙ୍କ ସହ କାରାଗାରରେ ପରିବାର ଲୋକ କଥା ବାର୍ତ୍ତା ହୋଇଥିଲେ । ତେବେ ଆଜି ସନ୍ଧ୍ୟା ସମୟରେ ଜେଲ କର୍ତ୍ତୃପକ୍ଷ , ମାନସ ଘରକୁ ଫୋନ କରି କହିଥିଲେ ଯେ, ବାପା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଛି । ତମେ ଶୀଘ୍ର ଚିକିତ୍ସାଳୟକୁ ଆସ । ପରିବାର ଲୋକ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସି ଦେଖିଲା ବେଳକୁ ରଘୁନାଥଙ୍କ ମୃତ୍ୟୁ ହୋଇ ସାରିଛି । ଅନୁଗୁଳ କାରାଗାରରେ ବାପାଙ୍କୁ ଠିକ୍ ଭାବେ ଉଚ୍ଚ ରକ୍ତ ଚାପ ପାଇଁ ମେଡ଼ିସିନ୍ ଦିଆ ଯାଉ ନଥିଲା କି ଠିକ୍ ଭାବେ ଚିକିତ୍ସା କରାଯାଉ ନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ବିଚାରାଧୀନ କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
