ସାତକୋଶିଆରେ ରାସ୍ତା ଓ ସେତୁ ନିର୍ମାଣ ପାଇଁ ୬ଟି ପ୍ରକଳ୍ପର ଭୂମିପୂଜନ

ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ଓ ଜନସାଧାରଣଙ୍କ ସୁବିଧାକୁ ପ୍ରାଥମିକତା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ)ରୁ ଅନୁମୋଦିତ ରାସ୍ତା ଓ ସେତୁ ନିର୍ମାଣ ସମ୍ବନ୍ଧିତ ୬ଟି ପ୍ରମୁଖ ଉନ୍ନୟନମୂଳକ ପ୍ରକଳ୍ପର ଭୂମିପୂଜନ କରିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୋଦୀ ସରକାରଙ୍କ ଦ୍ୱାରା ଡିଏମଏଫ୍ ନୀତିରେ ପରିବର୍ତ୍ତନ ଯୋଗୁଁ ଆଜି ଅନୁଗୁଳ ଜିଲ୍ଲା ବିକାଶ ପାଇଁ ବାର୍ଷିକ ପ୍ରାୟ ୫୦୦ କୋଟି ଟଙ୍କା ପାଉଛି । ଯାହା ସ୍ଥାନୀୟ ଅଞ୍ଚଳର କାୟାକଳ୍ପ ବଦଳାଇବାରେ ସହାୟକ ହେଉଛି । ଆଜି ଜିଲ୍ଲା ଖଣିଜ ପାଣ୍ଠିରୁ ଅନୁମୋଦିତ ଅନେକ ବିକାଶମୂଳକ ପ୍ରକଳ୍ପର ଭୂମିପୂଜନ ହୋଇଛି । ଆଗାମୀ ଦିନରେ ବାଲିଜେରେଙ୍ଗ ଠାରୁ ବେତାର ରାସ୍ତା ଏବଂ ମାଣିକଯୋଡ଼ିରୁ କୃଷ୍ଣଚନ୍ଦ୍ରଗଡ଼ ଭାୟା କୁଳସର ରାସ୍ତା ନିର୍ମାଣ ହେବ । ସେହିପରି ସରଧାପୁରରୁ ପଥରଗଡ ଏବଂ ଅନ୍ତୁଳିଆରୁ ତାବଡ଼ା ରାସ୍ତା ଅର୍ଥ ବ୍ୟୟବରାଦ କରାଯାଇଛି । ଏହି ସବୁ ପ୍ରକଳ୍ପ ସହ ସରଧାପୁର-ଗଦେଇମୁଣ୍ଡା ରାସ୍ତାରେ ‘ମାତେଲିଆ ସେତୁ’ ଏବଂ ନୂଆବଡ଼ଦାଣ୍ଡସାହି ରାସ୍ତାରେ ‘କଇଁଆ ସେତୁ’ ନିର୍ମାଣ ପାଇଁ ମଧ୍ୟ ଭୂମିପୂଜନ କରାଯାଇଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ସରଧାପୁର, ବଡ଼ହିଂସର ଓ ବଡକେରଜାଙ୍ଗ ସମେତ ସମଗ୍ର ଅଞ୍ଚଳର ଜନସାଧାରଣ ସିଧାସଳଖ ଉପକୃତ ହେବେ । ଉନ୍ନତ ରାସ୍ତା ଓ ସେତୁ କେବଳ ଯୋଗାଯୋଗକୁ ସହଜ କରିବ ନାହିଁ, ବରଂ କୃଷି ଓ ବାଣିଜ୍ୟ କ୍ଷେତ୍ରକୁ ତ୍ୱରାନ୍ୱିତ କରି ଅଞ୍ଚଳର ଆର୍ଥିକ ପ୍ରଗତିକୁ ନୂତନ ଗତି ପ୍ରଦାନ କରିବ । କେନ୍ଦ୍ରମନ୍ତ୍ରୀ ତାଙ୍କ ଅଭିଭାଷଣରେ ସ୍ଥାନୀୟ ଅଞ୍ଚଳର ମୂଳ ସମସ୍ୟା ‘ପାନୀୟ ଓ ଚାଷ ଜଳ’ ଉପରେ ଗୁରୁତ୍ୱାରୋପ କରିଥିଲେ । ଡିଏମଏଫ୍ ପାଣ୍ଠିର ସଠିକ୍ ବିନିଯୋଗ କରି କିଭଳି ଭଲ ଫସଲ ହୋଇପାରିବ ଏବଂ ଅନୁଗୁଳକୁ ଏକ ଅଗ୍ରଣୀ ଜିଲ୍ଲା ଭାବେ ଗଢ଼ାଯାଇପାରିବ, ସେ ନେଇ ସେ ପ୍ରତିଶ୍ରୁତି ବଦ୍ଧତା ପ୍ରକାଶ କରିଥିଲେ । ମହାନଦୀ ଅବବାହିକାରେ ଥିବା ଆଠମଲ୍ଲିକ ଅଞ୍ଚଳକୁ ବିକାଶର ଶୀର୍ଷକୁ ନେବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page