ଅନୁଗୁଳ – ଜଣେ ଅଙ୍ଗନୱାଡି ଦିଦିଙ୍କୁ ଘେରିଲେ ଗାଁ ମହିଳା । ଅଙ୍ଗନୱାଡି ଘର ଭିତରୁ ଧକ୍କା ମାରି ବାହାର କରିଦେଲେ । ଅଙ୍ଗନୱାଡି ଦିଦି ଜଣଙ୍କ ତିନି ଛୁଆର ମା ହୋଇଥିବା ସତ୍ୱେ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିବା ଏବଂ ଉଭୟ ଗାଁ ଛାଡି ବାହାରକୁ ପଳାଇବା ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ଜଣାପଡିଛି । ସେହି ସମୟର ଭିଡିଓ ଏବେ ସୋସିଆଲ ମେଡିଆରେ ଭାଇରାଲ ହେବା ପରେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁସାରେ କିଶୋରନଗର ବ୍ଲକ ହଣ୍ଡପା ଅଞ୍ଚଳର ଜଣେ ଅଙ୍ଗନୱାଡି ଦିଦିଙ୍କ ମହିଧରପୁର ଅଞ୍ଚଳର ଜଣେ ଯୁବକଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ପ୍ରେମରେ କିଛି ବର୍ଷ ହେଲା ମିଳାମିଶା କରୁଥିଲେ। ତେବେ ଗତ ସପ୍ତାହରେ ଉଭୟ କେଉଁଆଡ଼େ ଚାଲି ଯାଇଥିବା ଗାଁ ଲୋକ ଜାଣିବାକୁ ପାଇଥିଲେ। ଯେଉଁଥିପାଇଁ ଅଙ୍ଗନୱାଡି କେନ୍ଦ୍ର ତିନିଦିନ ପାଇଁ ମଧ୍ୟ ବନ୍ଦ ହୋଇ ରହିଥିଲା । ତେବେ ତିନିଦିନ ପରେ ଅଙ୍ଗନୱାଡି ଦିଦି ଗାଁକୁ ଫେରିବା ସହ ଅଙ୍ଗନୱାଡି କେନ୍ଦ୍ରକୁ ଯାଇଥିବା ବେଳେ ହଠାତ ଗାଁର ମହିଳା ମାନେ ଆସି ଅଙ୍ଗନୱାଡି କେନ୍ଦ୍ରକୁ ଘେରିଥିଲେ । ଅଙ୍ଗନୱାଡି ଦିଦିଙ୍କୁ ନାନାଦି ପ୍ରଶ୍ନ କରିବା ସହ ଧକ୍କା ମାରି ଅଙ୍ଗନୱାଡି କେନ୍ଦ୍ରରୁ ବାହାର କରିଦେଇଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ତେବେ ଏହି ଘଟଣା ପରେ ପୁଲିସ ହସ୍ତକ୍ଷେପ କରି ଅଙ୍ଗନୱାଡି ଦିଦି ଓ ତାଙ୍କ ପ୍ରେମିକଙ୍କୁ ଥାନାକୁ ଡାକିଥିଲା । ସେଠାରେ ଉଭୟ ଏକାଠି ରହିବେ ଏବଂ ଅଙ୍ଗନୱାଡି ଦିଦି ନିଜ ସ୍ବାମୀଙ୍କ ଠାରୁ କୌଣସି ଦାବି ଆପତ୍ତି କରିବେ ନାହିଁ ବୋଲି ଲିଖିତ ଚୁକ୍ତି କରିବା ପରେ ଉଭୟ ଚାଲି ଯାଇଥିଲେ । ଏହି ଘଟଣା ଏବେ ହଣ୍ଡପା ସମେତ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

