କୋଶଳା ଗ୍ରାମବାସୀଙ୍କ ଆନ୍ଦୋଳନ ସମସ୍ୟାର ଖୁବ ଶୀଘ୍ର ହେବ ସମାଧାନ – ଧର୍ମେନ୍ଦ୍ର

ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଲକ ଦେଇ ଯାଇଥିବା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ଗ୍ରାମ ମଧ୍ୟ ଦେଇ ମସୁଧା କରାଯାଉଥିବା ବେଆଇନ କୋଇଲା ପରିବହନକୁ ବିରୋଧ କରି କୋଶଳା ଗ୍ରାମବାସୀ ଗତ ୫ ତାରିଖରୁ  ଅହୋରାତ୍ର ଶାନ୍ତିପୁର୍ଣ୍ଣ ଧାରଣାରେ ବସିଛନ୍ତି । ଗ୍ରାମବାସୀଙ୍କ ଏହି ଧାରଣା ଚାଲିଥିବା ବେଳେ ଏଯାବତ ଏହାର କୈଣସି ସମାଧାନ ହୋଇ ନଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଛେଣ୍ଡିପଦା ଗସ୍ତ ଥିବା ବେଳେ କୋଇଲା ଗାଡି ଚଳାଚଳକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଟ୍ରକ ମାଲିକ ସଙ୍ଘ ଓ କୋଶଳା ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଛେଣ୍ଡିପଦା ଡାକ ବଙ୍ଗଳା ଠାରେ କୋଶଳା ଗ୍ରାମ୍ୟ କମିଟିର ସଭାପତି କତାର୍ଥ ଦେହୁରୀ, କୋଷାଧକ୍ଷ ସିଦ୍ଧାର୍ଥ ଶଙ୍କର ସାହୁ , ସରପଞ୍ଚ ଉଦିତ ପ୍ରଧାନ ,ଆଇଜି ସତ୍ୟବ୍ରତ ଭୋଇ, ଅନୁଗୁଳ ଏସପି ଓ ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ଏକ ରୁଦ୍ଧ ଦ୍ୱାର ବୈଠକ କରାଯାଇଥିଲା । ଉକ୍ତ ବୈଠକରେ କେନ୍ଦ୍ରମନ୍ତ୍ରୀ ଗ୍ରାମବାସୀଙ୍କ ଅଭିଯୋଗକୁ ଶୁଣିଥିଲେ ଏବଂ କୋଇଲା ଚଳାଚଳ ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନାରୁ ବାହାରିବା ପରେ ସରପଞ୍ଚ ଉଦିତ କୁମାର ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀ ସମସ୍ୟାର ଆପୋଷ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ଆଜିର ଆଲୋଚନା ସମ୍ପର୍କରେ ଆମେ ଗ୍ରାମବାସୀଙ୍କୁ ଜଣାଇବୁ ଏବଂ ଗ୍ରାମବାସୀଙ୍କ ନିଷ୍ପତି ଅନୁଯାୟୀ କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି । ଏନେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ମୁଁ ଦିଲ୍ଲୀରେ ଥିବା ବେଳେ ଘଟଣା ସମ୍ପର୍କରେ ଖବର ପାଇଛି । କାଲି ଆସିବା ପରେ ଜିଲ୍ଲାପାଳଙ୍କୁ ଏହାର ଆପୋଷ ସମାଧାନ ପାଇଁ ପରାମର୍ଶ ଦେଇଛି । ଏ ଅଞ୍ଚଳରେ କିପରି ଅର୍ଥନୈତିକ ବିକାଶ ହେବ ତାର ରାସ୍ତା ବାହାର କରିବା ଏବଂ ଏଥି ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟସ୍ଥତା କରି ନିୟମ ଅନୁଯାୟୀ କାର୍ଯ୍ୟ କରିବ ବୋଲି କହିଥିଲେ ।

ସୂଚନା ଯେ ଛେଣ୍ଡିପଦା ନୈନି କୋଇଲା ଖଣିରୁ ପ୍ରାୟ ୭୦ଟି ଟ୍ରକରେ କୋଶଳା ଗ୍ରାମ ମଧ୍ୟ ଦେଇ କୋଇଲା ପରିବହନ କରାଯିବାକୁ ମସୁଧା ଚଳାଇ ଥିବାବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ କୋଶଳା ଗ୍ରାମବାସୀ ଗ୍ରାମରେ ଜରୁରୀ ବୈଠକ କରିବା ସହିତ କୋଶଳା ଚନ୍ଦନ ନଗର ଠାରେ ଗତ ୫ ତାରିଖ ଠାରୁ ଆହରାତ୍ର ଗଣଧାରଣା ଦେଇଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଛେଣ୍ଡିପଦାରୁ ଅନୁଗୁଳ ଯାଇଥିବା ୬୩ନଂ ରାଜ୍ୟ ପଥର କୋଶଳା ଠାରେ ଦୀର୍ଘ ୪କିମି ବ୍ୟାପି ଜନଵସତି ଲାଗିଥିବା ବେଳେ ରାସ୍ତାରେ ବିଦ୍ୟାଳୟ ମହାବିଦ୍ୟାଳୟ,ସ୍ୱାସ୍ଥ୍ୟ ସେବା ନିମନ୍ତେ ଦୈନିକ ହଜାର ହଜାର ଲୋକ ଯାତାୟତ କରୁଛନ୍ତି । କୋଇଲା ପରିବହନ ହେଲେ ଜନସାଧାରଣଙ୍କ ଧନ ଜୀବନ ପ୍ରତି ବିପଦ ସୃଷ୍ଟି ହେବ । ଏହି ଗ୍ରାମ ମଧ୍ୟ ଦେଇ କୋଇଲା ଗାଡି ଚଳାଚଳ ନ କରି ଏକ ବାଇପାସ ରାସ୍ତା ନିର୍ମାଣ କରି କୋଇଲା ଗାଡି ଚଳାଚଳ ପାଇଁ ଗ୍ରାମବାସୀ ଦାବୀ କରିବା ସହିତ ଅହୋରାତ୍ର ଗଣ ଧାରଣା ଜାରି ରଖିଛନ୍ତି । ଅପରପକ୍ଷେ କୋଇଲା ପରିବହନ ହୋଇ ନ ପାରି କୋଇଲା ବୋଝେଇ ଟ୍ରକ ଗୁଡିକ ଛେଣ୍ଡିପଦା ଜଗନ୍ନାଥ ମନ୍ଦିର ସମୁଖ ପାର୍କିଂ ପଡିଆରେ ଛିଡା ହୋଇ ରହିଛି । ଟ୍ରକ ଗୁଡିକ ଚଳାଚଳ ହୋଇ ପାରୁ ନଥିବାରୁ ଟ୍ରକ ମାଲିକଙ୍କର ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ ରାତିରେ କୋଇଲା ଟ୍ରକ ଚଳାଚଳ କରିବା ଆଶଙ୍କା କରି ଛେଣ୍ଡିପଦାରୁ କଣିହାଁ, ଜରପଡା ଓ ଅନୁଗୋଳକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ପ୍ରାୟ ୧୦ ରୁ ଉର୍ଦ୍ଧ ଗ୍ରାମବାସୀ ପାଳି କରି ଗାଁ ରାସ୍ତାକୁ ଜଗି ରହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page