ବିଫଳ ଅଧିକାରୀଙ୍କୁ ବାତ୍ୟା ମୁକାବିଲା ଦାୟିତ୍ୱ

ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଶେଷକରି ଅନୁଗୁଳ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏଥିପାଇଁ ପ୍ରଶାସନିକ ଅପରାଗତାକୁ ଦାୟି କରାଯାଉଛି । ବିଶେଷକରି କୋଭିଡ କଟକଣାକୁ କାର୍ଯ୍ୟକାରୀ କରିବାରେ ପୌର ପ୍ରଶାସନର ବିଫଳତା ସଂପର୍କରେ ସବୁଠି ଚର୍ଚା । କରୋନା ନିୟନ୍ତ୍ରଣରେ ବିଫଳ ଅଧିକାରୀଙ୍କୁ କିନ୍ତୁ ଏବେ ବାତ୍ୟା ମୁକାବିଲା ଦାୟିତ୍ୱ ଦିଆଯାଇଛି । ଯିଏ ନିଜ ଘର ସମ୍ଭାଳି ପାରୁନାହାନ୍ତି, ସେ ଅନ୍ୟ କାହା ଘର କେମିତି ସଜାଡ଼ିବେ ବୋଲି ସାଧାରଣରେ ଆଲୋଚନା ହେଉଛି ।

ସାମୁଦ୍ରିକ ବାତ୍ୟା ‘ୟସ’ର ପ୍ରଭାବ ବାଲେଶ୍ୱର ଏବଂ ଭଦ୍ରକ ଜିଲାରେ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି । ରାଜ୍ୟ ସରକାର ମଧ୍ୟ ଏହାକୁ ଗୁରୁତର ସହ ନେଇଛନ୍ତି । ବାତ୍ୟା ଏବଂ ପରବର୍ତ୍ତି ପରିସ୍ଥିତିର ମୁକାବିଲା ପାଇଁ ଅନ୍ୟ ଜିଲାରୁ ଅଧିକାରୀଙ୍କୁ ନିୟୋଜନ କରାଯାଉଛି । ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ପୁଲିସ ସେବା, ଓଡ଼ିଶା ପ୍ରଶାସନିକ ସେବା ଏବଂ ଓଡ଼ିଶା ରାଜସ୍ୱ ସେବାର ବହୁ ଅଧିକାରୀଙ୍କୁ ବିଭିନ୍ନ ଜିଲା ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି କ୍ରମରେ ବିଭିନ୍ନ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ବାଲେଶ୍ୱର, ମୟୂରଭଞ୍ଜ ଜିଲାକୁ ପଠାଯାଇଛି । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏହି ତାଲିକାରେ ରହିଛନ୍ତି ଅନୁଗୁଳ ପୌରପାଳିକାର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ । ତାଙ୍କୁ ବାତ୍ୟା ମୁକାବିଲା ପାଇଁ ବାଲେଶ୍ୱର ପୌରପାଳିକାକୁ ପଠାଯାଇଛି । ସୂଚନା ଯୋଗ୍ୟ ଯେ, ଅନୁଗୁଳ ସହରରେ କରୋନା ନିୟନ୍ତ୍ରଣରେ ନିର୍ବାହୀ ଅଧିକାରୀ ମଲ୍ଲିକ ସଂପୂର୍ଣ୍ଣ ବିଫଳ ହୋଇଥିବା ନେଇ ଜାଣିବା ଶୁଣିବା ମହଲରେ ଆଲୋଚନା ହେଉଛି । ଏକଥାକୁ ପ୍ରମାଣିତ କରୁଛି ସରକାରୀ ତଥ୍ୟ । ଜିଲ୍ଲା ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳ ଜିଲାରେ ଯେଉଁ ୨ଟି ପୌରପାଳିକା ଏବଂ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି, ସେଥିରୁ ଅନୁଗୁଳ ସହରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ମେ’ ୧୮ ତାରିଖରେ ଅନୁଗୁଳ ସହରରୁ ୭୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯ ତାରିଖରେ ୩୮ଜଣ, ୨୦ ତାରିଖରେ ୮୦ଜଣ, ୨୧ ତାରିଖରେ ୫୬ଜଣ, ୨୨ ତାରିଖରେ ୭୧ଜଣ, ୨୩ ତାରିଖରେ ୪୭ଜଣ ଏବଂ ୨୪ ତାରିଖରେ ୩୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଣୁ ଗୋଟିଏ ପଟେ ସହରରେ କରୋନା ନିୟନ୍ତ୍ରଣ ବାହାରେ ରହିଛି । ଏପରିକି ପୌରପାଳିକା ଅଞ୍ଚଳରେ କୋଭିଡ କଟକଣାକୁ ଅନେକ ସ୍ଥାନରେ ଉଲ୍ଲଂଘନ କରା ଯାଉଥିବା ବେଳେ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରା ଯାଉନାହିଁ । ଜାହ ଫଳରେ ସହରର ବିଭିନ୍ନ ଅଞ୍ଚଳରେ କରୋନା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସମୟରେ ପୌର ନିର୍ବାହୀ ଅଧିକାରୀଙ୍କୁ ଅନ୍ୟ ଜିଲାକୁ ପଠାଯିବାକୁ ନେଇ ବୁଦ୍ଧିଜୀବୀ ମହଲରେ ସମାଲୋଚନା କରାଯାଉଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored