ଜିଲ୍ଲା ମହୋତ୍ସବ ପାଇଁ ମଶାଲ ଯାତ୍ରା

ଅନୁଗୁଳ – ଅନୁଗୁଳ ଜିଲ୍ଲା ମହୋତ୍ସବ ପାଇଁ ଜିଲ୍ଲା ପ୍ରଶାସନ ସଜବାଜ ହେଲାଣି । ଆଉ ମାତ୍ର ୮ ଦିନ ପରେ ନାଚଗୀତ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିବ ଅନୁଗୁଳ ସହର । ତେବେ ଏହି ମହୋତ୍ସବ ପାଇଁ ମଙ୍ଗଳବାର ଜିଲା ସଂସ୍କୃତି ବିଭାଗ ଓ ଜିଲା ସଂସ୍କୃତି ପରିଷଦର ପୌରହିତ୍ୟରେ ଶୁଭ ଅଗ୍ନିର ମଶାଲ ଶୋଭାଯାତ୍ରା ବାହାରିଛି । ଏହି ଶୋଭାଯାତ୍ରା ଜିଲ୍ଲାର ସମସ୍ତ ପ୍ରମୁଖ ଅଞ୍ଚଳ ତଥା ଗାଁ ଗଣ୍ଡା ଗୁଡିକ ପରିକ୍ରମା କରିବା ପରେ ଅନୁଗୁଳ ସହର ମଧ୍ୟସ୍ଥ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଠାରେ ପହଞ୍ଚିଥିଲା । ସୂଚନା ଅନୁସାରେ ଆସନ୍ତା ୧୮ ତାରିଖରୁ ୫ଦିନ ଧରି ଅନୁଗୁଳ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ମହୋତ୍ସବ ତଥା ଅନୁଗୁଳ ଜିଲ୍ଲାକୁ ୩୦ବର୍ଷ ପୂର୍ତ୍ତି ଅବସରରେ ମହୋତ୍ସବ ପାଳନ କରିବ । ତେବେ ଏହାର ଆୟୋଜନ ବେଶ ଧୁମଧାମରେ ଜିଲ୍ଲା ପ୍ରଶାସନ କରୁଥିବା ଜଣାପଡିଛି । ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରସିଦ୍ଧ ଦୈଵ ପୀଠ ଗୁଡିକରୁ ମଶାଲ ଆସିଛି । ମଙ୍ଗଳବାର ଅନୁଗୁଳ ବ୍ଳକର ଟିକରପଡା, ଛେଣ୍ଡିପଦା ପାତ୍ରପଡାର ମା ବାୟଣୀ ପୀଠ, ଆଠମଲ୍ଲିକର ଦେଉଳଝରି, ପାଲଲହଡାର ଖୁଲୁଡି ପୀଠରୁ ମଶାଲ ଗୁଡିକ ବାହାରି କ୍ରମାନ୍ଵୟ ଭାବେ ତାଳଚେର ସ୍ଥିତ ମା ହିଙ୍ଗୁଳାଙ୍କ ପୀଠରେ ଏକାଠି ହୋଇଥଲେ । ତେବେ ସୁଦୂର ପାଲଲହଡ଼ା ଓ ଆଠମଲ୍ଲିକ ଅଞ୍ଚଳରୁ ମଶାଲ ଆସୁଥିବା ବେଳେ ଏହାର ଗୋଟିଏ ଦିନ ପୂର୍ବରୁ ମଶାଲ ଆଣିବାକୁ ଏକ ଦଳ ଯାଇ ସେଠାରେ ପହଞ୍ଚିଥିଲେ । ଆଜି ଭୋର ସମୟରୁ ସମସ୍ତ ଦୈଵପୀଠ ଗୁଡିକରେ ରୀତିନୀତି ଅନୁଯାୟୀ ପୂଜାପାଠ ସାରିବା ପରେ ଟିକରପଡାସ୍ଥିତ ଶିବ ମନ୍ଦିର ଠାରୁ ଅନୁଗୁଳ ଉପଜିଲ୍ଲାପାଳ ବୈତୁରା ଦୀପଙ୍କ ତତ୍ୱବାଧାନରେ ମଶାଲ ବାହାରି ଥିବା ବେଳେ ଛେଣ୍ଡିପଦାର ବାୟଣୀ ପୀଠରୁ ମଶାଲ ବାହାରି ଥିବା ଅନ୍ୟ ୩ଟି ପୀଠରୁ ସମାନ ଭାବେ ମଶାଲ ବାହାରି ଅନୁଗୁଳ ଦେଇ ସମସ୍ତ ମଶାଲ ହିଙ୍ଗୁଳା ପୀଠରେ ଏକତ୍ରିତ ହୋଇଥିଲେ । ସେଠାରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏହାକୁ ସ୍ୱାଗତ କରିଥିଲେ । ସନ୍ଧ୍ୟା ସୁଦ୍ଧା ଏହି ସମସ୍ତ ମଶାଲ ଗୁଡିକ ସହରସ୍ଥିତ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିଥିବା ବେଳେ ଆଗାମୀ ମହୋତ୍ସବ ପାଇଁ ପ୍ରସ୍ତୁତ ହୋଇ ରହିଥିଲେ । ସମସ୍ତ ନିର୍ଦ୍ଧାରିତ ପୀଠ ସ୍ଥଳ ଗୁଡିକରୁ ମଶାଲ ବାହାରିବା ବେଳେ ଜିଲ୍ଲାର ସମସ୍ତ ବିଭାଗ ଗୁଡିକର ପ୍ରଜ୍ଞାପନ ମେଢ଼ ଗୁଡିକ ଏହା ସହ ଯାତ୍ରା କରିଥିଲେ । ସରକାରଙ୍କ ଦ୍ଵାରା ଲୋକଙ୍କ ପାଇଁ ସମସ୍ତ ଜନ ହିତ କାରୀ ଯୋଜନା ଗୁଡିକ କିପରି କାର୍ଯ୍ୟକାରୀ ହେଉଛି ।ଏହି ପ୍ରଜ୍ଞାପନ ମେଢ଼ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା। ସ୍ୱତଃପ୍ରବୃତ ଭାବେ ଅନେକ ସଂଗଠନ, ମହିଳା ସମିତି, ସଂକୀର୍ତ୍ତନ ଦଳ ଗାଁ ମୁଣ୍ଡରେ ଛିଡା ହୋଇରହିଥିବା ବେଳେ ଶହଶହ ଲୋକ ଶୁଭ ମଶାଲକୁ ଗାଁ ମୁଣ୍ଡରୁ ପାଛୋଟି ନେଇଥିଲେ । ଗାଁ ରାସ୍ତାରେ ବିଭିନ୍ନ ସ୍ଥାନରେ ଝୋଟି ମୁରୁଜ ଚିତା ଆଙ୍କି ଶୁଭ କଳସ ବସାଇ ମଶାଲକୁ ବନ୍ଦାପନା କରିଥିଲେ । ଅନୁଗୁଳର ବିଭିନ୍ନ ଅଞ୍ଚଳରୁ ବାହାରିବାକୁ ଥିବା ମଶାଲ ଶୋଭାଯାତ୍ରାରେ ସମସ୍ତ ଉପଖଣ୍ଡରୁ ଉପଜିଲ୍ଲାପାଳ ଓ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଅନୁଗୋଳ ବନଖଣ୍ଡ ଅଧିକାରୀ, ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored