ସୌନ୍ଦର୍ଯ୍ୟ ବଦଳରେ କଦର୍ଯ୍ୟ – ଯାଯାବର ଗଢିଲେଣି ସ୍ଥାୟୀ ବସ୍ତି

ଅନୁଗୁଳ – ଅନୁଗୁଳ ଜିଲ୍ଲାକୁ ନୂଆଁ କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଆସିବା ପରେ ଅନୁଗୁଳବାସୀ ଅନୁଗୁଳ ସହରର ଚିତ୍ର ବଦଳିବା ବୋଲି ଆଶା କରିଥିଲେ । ଜିଲ୍ଲା ପ୍ରଶାସନ ମଧ୍ୟ ରଙ୍ଗୀନ୍ ସ୍ଵପ୍ନ ଦେଖାଇଥିଲା । ଏଥିପାଇଁ କାମ ମଧ୍ୟ ଆରମ୍ଭ ହୋଇଥିଲା । ଥାନା ଛକ ଠାରୁ ବୁଢୀ ଠାକୁରାଣୀ ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ କଡ଼ରୁ ଜବରଦଖଲ ହଟାଗଲା । ବହୁ ବର୍ଷ ଧରି ଉଠା ଦୋକାନ କରି ଚାଲୁଥିବା ହେଉ କିମ୍ବା ଟାକ୍ସି ରଖୁଥିବା ଚାଳକ ମାନଙ୍କୁ ଜାତୀୟ ରାଜପଥ କଡରୁ ହଟିବା ପାଇଁ ନିର୍ଦେଶ ଦେବା ସହ ପୂନର୍ବାର ଗାଡ଼ି କିମ୍ବା ଦୋକାନ ଛିଡ଼ା ନ କରିବେ, ସେଥିପାଇଁ ବାଉଁଶ ବାରିକେଡ୍ ମଧ୍ୟ ବନ୍ଧାଗଲା । ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟକୁ ସ୍ୱାଗତ କରିଥିଲେ ସହରବାସୀ । ସହରର ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲା ପ୍ରଶାସନ ଦେଖାଇଥିବା ସ୍ଵପ୍ନରେ ସହରବାସୀ ବେଶ ଖୁସି ଅନୁଭବ ମଧ୍ୟ କଲେ । ହେଲେ ଏହା ଭିତରେ କିଛି ମାସ ବିତି ଯାଇଛି । ଆଉ ଏଇ କିଛି ମାସ ମଧ୍ୟରେ ଏହି ଜାତୀୟ ରାଜପଥ କଡ଼ର ଦୃଶ୍ୟ ଏମିତି ହୋଇଛି ଯେ, ସହରବାସୀ ନାକ ଟେକିଲେଣି । କାରଣ ରାଜପଥ କଡ ଏବେ ସୌନ୍ଦର୍ଯ୍ୟ ବଦଳରେ କଦର୍ଯ୍ୟ ଦେଖା ଯାଉଛି । ପ୍ରଥମେ ପ୍ରଥମେ ଏକାଧିକ ଯାଯାବର ରାସ୍ତା କଡ଼ରେ ତମ୍ବୁ ଟାଣି ଅସ୍ଥାୟୀ ଭାବେ ରହିଥିଲେ । ଏବେ ସେମାନେ ଏମିତି ରହିଲେଣି ଯେମିତି ପ୍ରଶାସନ ସେମାନଙ୍କୁ ସ୍ଥାୟୀ ଜାଗା ଯୋଗାଇ ଦେଇଛି । ପ୍ରଶାସନ ଯେଉଁ ବାଉଁଶ ବାନ୍ଧିଥିଲା, ସେ ବାଉଁଶ ଆଉ ନାହିଁ । ଯାଯାବର ମାନେ ତଳେ ମାଟି କାନ୍ଥ କରିବା ସହ ବାଉଁଶ ପୋତି ସ୍ଥାୟୀ ବସ୍ତି ଗଢିଲେଣି । ଏହା ସହ ରାସ୍ତା କଡରେ ଛିଣ୍ଡା ଲୁଗାପଟା ଶୁଖାଇବା , ଅଞ୍ଚଳରେ ଅଳିଆ ଆବର୍ଜନା ପକାଇବା ଯୋଗୁଁ ସ୍ଥାନଟି କଦର୍ଯ୍ୟ ଦେଖା ଯାଉଛି । ଅଧିକାଂଶ ବାରିକେଡ୍ ଭାଙ୍ଗି ଯାଇଥିବା ବେଳେ ପୁଣି ଥରେ ଗାଡ଼ି ପାର୍କିଂ , ଚା ଦୋକାନ ଆରମ୍ଭ ହେଲାଣି । ପ୍ରଶାସନ ଯେଉଁ ମହତ୍ ଉଦ୍ଦେଶ୍ୟ ନେଇ ଜବରଦଖଲ ହଟାଇଥିଲା ଓ ବାଉଁଶ ବାରିକେଡ୍ ବାନ୍ଧିଥିଲା ତାହା ମାଟିରେ ମିଶିବାରେ ଲାଗିଛି । ଫଳରେ ଇଏ ସୌନ୍ଦର୍ଯ୍ୟକରଣ ନୁହେଁ ବରଂ ପ୍ରଶାସନର ଇଚ୍ଛାଶକ୍ତି ଅଭାବ ଯୋଗୁଁ କଦର୍ଯ୍ୟ ହୋଇ ଗଲାଣି ବୋଲି ଲୋକ କହିଲେଣି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored