ଅନୁଗୁଳ – ନିଶା ମୁକ୍ତ ଭାରତ ଅଭିଯାନରେ ଅନୁଗୁଳ ଜିଲ୍ଲା ଟଙ୍କାଟିଏ ଖର୍ଚ୍ଚ କରି ପାରିଲା ନାହିଁ । ଫଳରେ ସରକାର ଏହି ବାବଦକୁ ଦେଇ ଥିବା ୧୦ ଲକ୍ଷ ଟଙ୍କା ଫେରି ଯାଇଛି ।
ସୂଚନା ଅନୁସାରେ ନିଶା ମୁକ୍ତ ଭାରତ ଗଠନ ପାଇଁ ନିଶା ମୁକ୍ତ ଭାରତ ଅଭିଯାନର ବ୍ୟାପକ ପ୍ରଚାର ଓ ପ୍ରସାର ନିମନ୍ତେ ଅଗଷ୍ଟ ୧୫, ୨୦୨୩ ମସିହାରେ ନିଶା ମୁକ୍ତ ଭାରତ ଅଭିଯାନ ୨.୦ ଆରମ୍ଭ କରାଯାଇଥିଲା। ନିଶାମୁକ୍ତ ଭାରତ ଯୋଜନା ଅନୁଯାୟୀ ଓଡିଶାକୁ ନିଶାମୁକ୍ତ କରିବା ପାଇଁ ଆବଶ୍ୟକ ପଦଯାତ୍ରା, ସାଧାରଣ ସଭା, ଆଲୋଚନା ଚକ୍ର, ବିଜ୍ଞାପନ, ପଥପ୍ରାନ୍ତ ନାଟକ ଆଦି ପଦକ୍ଷେପ ଆୟୋଜନ କରାଯାଉଛି । ଏଥିପାଇଁ କେନ୍ଦ୍ର ସରକାର ଅନୁଗୁଳ ଜିଲ୍ଲାକୁ ମଧ୍ୟ ୧୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଥିଲେ । ହେଲେ ଅନୁଗୁଳ ଜିଲ୍ଲା ପ୍ରଶାସନ ଏହି ୧୦ ଲକ୍ଷ ଟଙ୍କାରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରି ପାରିଲା ନାହିଁ । ଯାହା ଫଳରେ ଏହି ଟଙ୍କା ଏବେ ଫେରି ଯାଇଛି । ଆଜି ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ଦେବା ପରେ ଏହି କଥା ସାମ୍ନାକୁ ଆସିଛି ।
ତେବେ ଏହି ଘଟଣା ଜଣା ପଡିବା ପରେ ଅନୁଗୁଳ ଜିଲ୍ଲା ପ୍ରଶାସନ ଉପରେ ଆଙ୍ଗୁଠି ଉଠାଇଛନ୍ତି ଜିଲ୍ଲାବାସୀ । ଜିଲ୍ଲାର ଗାଁ ଗାଁ , ସହର ଗଳି କନ୍ଦିରେ ମଦର ଜୁଆର ଉଠୁଥିବା ବେଳେ ଜିଲ୍ଲା ପ୍ରଶାସନ ଲୋକଙ୍କୁ ସଚେତନ କରାଇବାରେ କାହିଁକି ପଛଘୁଞ୍ଚା ଦେଇଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

