ଅନୁଗୁଳ – ଅନୁଗୁଳ ଏକ ଶିଳ୍ପ ବହୁଳ ଜିଲ୍ଲା ହୋଇଥିବା ବେଳେ ଅନୁଗୁଳ ସହରର ଜନ ସଂଖ୍ୟା ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି । ଯେଉଁଥିପାଇଁ ସହରର ଆବର୍ଜନା ମଧ୍ୟ ବଢି ଚାଲିଛି । ଏହି ଆବର୍ଜନା ମଧ୍ୟରେ ସହରର ପ୍ଲାଷ୍ଟିକ ଆବର୍ଜନା ଚିନ୍ତାର ବିଷୟ ପାଲଟିଛି । ହେଲେ ଏହାର ସମାଧାନ ପାଇଁ ଅନୁଗୁଳ ପୌରପାଳିକା ଆରମ୍ଭ କରିଛି ଗାର୍ବେଜ ଭାରନେବଲ ପଏଣ୍ଟ ।

ଯେଉଁଥିରେ ଅନୁଗୁଳ ପୌରପାଳିକାର ସଫେଇ କର୍ମଚାରୀମାନେ ଆବର୍ଜନା ଗଦା ହେଉଥିବା ଜାଗାର ଫଟୋ ପ୍ରଥମେ ଉଠାଇ ଅନୁଗୁଳ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ପଠାଇବେ । ଏବଂ ପରେ ସେହି ସ୍ଥାନକୁ ସମ୍ପୂର୍ଣ୍ଣ ସଫା କରି ସାରିବାର ଫଟୋ ପଠାଇବେ । ଯାହାର ତଦାରଖ ଖୋଦ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ନେଉଛନ୍ତି । ଏହି ଉପାୟରେ ସହରକୁ ରାତି ୧୨ ଟା ସମୟରେ ଥରେ ଏବଂ ସକାଳ ୫.୩୦ ରେ ଆଉଥରେ ସଫେଇ କରା ଯାଉଛି । ଦିନର ଦୁଇ ଥର ସଫେଇ ଫଳରେ ସହରରେ ଆଉ ଆବର୍ଜନା ସମସ୍ୟା ରହୁ ନାହିଁ। ଆଉ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀଙ୍କ ଚେଷ୍ଟା ଦ୍ୱାରା ପୌରପାଳିକାରେ ଆବର୍ଜନାକୁ ଫିଲଟର କରାଯାଉଛି । ଓଦା , ଶୁଖିଲା ଏବଂ ପ୍ଲାଷ୍ଟିକ ଭଳି ଆବର୍ଜନାକୁ ପୃଥକୀକରଣ କରାଯାଇ ଅଲଗା ଅଲଗା କାମରେ ଲଗାଇବା ପାଇଁ ଚିନ୍ତା କର ଯାଉଛି । ଏହି କ୍ରମରେ ଅନୁଗୁଳ ସହରରୁ ପ୍ରାୟ ୨୨ ଟନ ପ୍ଲାଷ୍ଟିକ ଆବର୍ଜନା ବାହାର କରା ଯାଇଛି । ଯାହାକୁ ଏବେ ରାଜଗାଙ୍ଗପୁରର ସିମେଣ୍ଟ ଫ୍ୟାକ୍ଟେରୀକୁ ପଠାଇବା ପାଇଁ ଯୋଜନା କରାଯାଇଛି । ସେଠାରେ ଏହି ପ୍ଲାଷ୍ଟିକକୁ ଇନ୍ଧନ ଭାବେ ବ୍ୟବହାର କରାଯିବ ।
ତେବେ ଏତିକିରେ ରହି ଯାଇ ନାହିଁ ଅନୁଗୁଳ ପୌରପାଳିକା । ଏହି ଆବର୍ଜନା ସମସ୍ୟା ଦୂର କରିବା ପାଇଁ ଏବେ ନିଉ ସେଗ୍ରିଗେଶନ ପଏଣ୍ଟ ବା ନୂତନ ପୃଥକୀକରଣ କେନ୍ଦ୍ର ପାଇଁ ଯୋଜନା କରାଯାଇଛି । ଅନୁଗୁଳ ସହରର ଆବର୍ଜନାର ପୃଥକୀକରଣ ପାଇଁ ଜାଗା ପର୍ଯ୍ୟାପ୍ତ ହେଉ ନଥିବାରୁ ଏକ ବଡ ଜାଗାର ଆବଶ୍ୟକତା ରହିଛି । ଏଥିପାଇଁ ଅନୁଗୁଳ ସହର ନିକଟରେ ଏକ ୩୦ ହଜାର ବର୍ଗ ଫୁଟର ଜାଗା ଚିହ୍ନଟ କରା ଯାଇଛି । ସେହି ସ୍ଥାନରେ ଏକ ବଡ ଧରଣର ପୃଥକୀକରଣ କେନ୍ଦ୍ର କରାଯିବ । ଏଥିପାଇଁ ଡି ଏମ୍ ଏଫ ରୁ ପ୍ରାୟ ୧ କୋଟି ୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହି ସ୍ଥାନରେ ସହରର ୨୩ ଟି ୱାର୍ଡର ଆବର୍ଜନାକୁ ପୃଥକୀକରଣ କରାଯିବ । ଏଥିପାଇଁ ସମସ୍ତ ପ୍ରକାର ଆକଳନ ଏବଂ ଯୋଜନା କରାସରିଛି । ଏହା ହେବା ପରେ ସହରର ଆବର୍ଜନା ସମସ୍ୟା ଦୂର କରାଯାଇପାରିବ ବୋଲି ଆଶା କରାଯାଉଛି ।

