ତାଳଚେର – ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବିଶ୍ୱ ପ୍ରସିଦ୍ଧ ବାର୍ଷିକ ଯାତ୍ରା ଓ ୨୨ତମ ଲୋକ ମହୋତ୍ସବ ଆଜି ଷଷ୍ଠ ଦିବସରେ ଏକ ନୂତନ ଶିଖର ଛୁଇଁଛି। ଗୋପାଳ ପ୍ରସାଦସ୍ଥିତ ଅଗ୍ନି ପୀଠରେ ଆଜି ଭକ୍ତି, ଆଧ୍ୟାତ୍ମିକତା ଏବଂ ପାରମ୍ପରିକ କଳାର ଏକ ଭବ୍ୟ ସମାବେଶ ଦେଖିବାକୁ ମିଳିଛି। ଶିଳ୍ପନଗରୀ ତାଳଚେରର ପ୍ରମୁଖ ଶିଳ୍ପାନୁଷ୍ଠାନର ଶୀର୍ଷ ନେତୃତ୍ୱବୃନ୍ଦ ଆଜି ମା’ଙ୍କ ପୀଠରେ ଏକତ୍ରିତ ହୋଇ ଭକ୍ତି ନୈବେଦ୍ୟ ଅର୍ପଣ କରିଛନ୍ତି।

ଆଜିର ଏହି ସାଂସ୍କୃତିକ ସନ୍ଧ୍ୟାକୁ ଅଧିକ ଗରିମାମୟ କରିବା ପାଇଁ ଅଞ୍ଚଳର ପ୍ରମୁଖ ଶିଳ୍ପାନୁଷ୍ଠାନର ନେତୃତ୍ୱବୃନ୍ଦ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ MCL ର ନିର୍ଦ୍ଦେଶକ (ଟେକ୍ନିକାଲ) ଶ୍ରୀ ସଞ୍ଜୟ ଝା, ସମ୍ମାନିତ ଅତିଥି ଭାବେ NTPC ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ED) ଶ୍ରୀ କେ.ଏନ ରେଡ୍ଡୀ, JITPL ର ଉପାଧ୍ୟକ୍ଷ (VP) ଶ୍ରୀ ସୁରେଶ କୁମାର ବଂଶଲ ଏବଂ ସହ-ଉପାଧ୍ୟକ୍ଷ ଶ୍ରୀ ପ୍ରଭାତ କୁମାର ବିଶ୍ୱାଳ ,ତାଳଚେର ଏସ.ଡି.ପିଓ ଶ୍ରୀ ଭରତ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।ପରିଶେଷରେ ଡେପୁଟି କଲେକ୍ଟର ମାନସ ମୋହନ ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶୁଭ ଅବସରରେ ଶ୍ରୀ ସଞ୍ଜୟ ଝା ନିଜ ଅଭିଭାଷଣରେ ଉତ୍କଳର ଗାଥା ପୁରାଣରେ ରହିଛି । ଏଠି ମା ମନ୍ଦିର ଛାଡ଼ି ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଓ ପ୍ରଭୁ ଜଗନ୍ନାଥ ମଧ୍ୟ ରଥଯାତ୍ରାରେ ଆସନ୍ତି ।ଏହିଭଳି ପବିତ୍ର ମାଟିକୁ ଆସିଥିବାରୁ ନିଜକୁ ଧନ୍ୟ ମନେ କରୁଛି । ଆଜି MCL ଉନ୍ନତି ପଛରେ ମା ‘ ଙ୍କ ଆଶୀର୍ବାଦ ଯୋଗୁଁ ଆଗକୁ ବଢ଼ି ଚାଲିଛି । ମା’ଙ୍କ ଏହି ଯାତ୍ରାରେ MCL ସଦା ସର୍ବଦା ନିଜର ସାହାଯ୍ୟ ସହଯୋଗ ରଖିବ । ଏହା ସହିତ ଅନ୍ୟ ଅତିଥି ମାନେ ସାହାଯ୍ୟ ସହଯୋଗ ରଖିବେ ବୋଲି ନିଜର ଅଭିଭାଷଣ ଦ୍ଵାରା ଜଣାଇଛନ୍ତି।

ଆଜିର ସନ୍ଧ୍ୟାରେ ରାଜ୍ୟ ଓ ସ୍ଥାନୀୟ ସ୍ତରର ଅନେକ ପ୍ରତିଷ୍ଠିତ କଳାକାର ଓ ଅନୁଷ୍ଠାନ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ କୁମାର ଦିଲ୍ଲୀପ, ଗଗନ ଜେନା ଏବଂ ଜାଗୃତି ମିଶ୍ରଙ୍କ ସୁମଧୁର ସ୍ୱରରେ ସମଗ୍ର ତାଳଚେର ଦୁଲୁକି ଉଠିଥିଲା। ସେମାନଙ୍କ ସହ ଆସିଥିବା ଡ୍ୟାନ୍ସ ଗ୍ରୁପ୍ର ଚିତ୍ତାକର୍ଷକ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ପୁରୀରୁ ଆସିଥିବା ପ୍ରସିଦ୍ଧ “ନାଭପ୍ରତିଭା ସଂସ୍କୃତିକ ଏକାଡ଼େମୀ” ପକ୍ଷରୁ ଓଡ଼ିଶୀ ଓ ଲୋକନୃତ୍ୟର ଭବ୍ୟ ପ୍ରଦର୍ଶନ କରାଯାଇଥିଲା। ସ୍ଥାନୀୟ ଓ ଜିଲ୍ଲା ସ୍ତରୀୟ ପ୍ରତିଭା: ସ୍ଥାନୀୟ ଅନୁଷ୍ଠାନ ଯଥା ଆଇଡିଆଲ୍ ପବ୍ଲିକ୍ ସ୍କୁଲ୍, ମା’ ତାରିଣୀ ଡ୍ୟାନ୍ସ ଏକାଡ଼େମୀ ଏବଂ ସ୍ୱୟଂ ଶ୍ରୀ ନୃତ୍ୟ ଅନୁଷ୍ଠାନର କଳାକାରମାନେ ନିଜର ନୈପୁଣ୍ୟ ପ୍ରଦର୍ଶନ କରିଥିଲେ।

