ଅନୁଗୁଳ – ଅନୁଗୁଳ ତାମ୍ରିତ କଲୋନୀରେ ଭଡା ନେଇ ରହୁଥିବା ବିଜୟ ଠାକୁର ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ୨୩ ତାରିଖ ଦିନ ତାଙ୍କ ଭଡା ଘରୁ କମ୍ପାନୀକୁ କାମ କରିବାକୁ ଘର ତାଲା ଦେଇ ଯାଇଥିଲେ । ସନ୍ଧ୍ୟାରେ ଘରକୁ ଫେରି ତାଙ୍କ ଘରର ତାଲା ଭଙ୍ଗାଯାଇ, ଘରେ ଲାଗିଥିବା ଦେଢ ଟନର ସ୍ପ୍ଲିଟ ଏସି , ଫ୍ରିଜ , ଡୋର ସ୍କ୍ରିନ -୨ ଟା, ୭ଟି ଝରକା ସ୍କ୍ରୀନ ,ଗୋଟିଏ ବେଡ ସିଟ ଓ ଗୋଟିଏ ଟ୍ରଲି ବ୍ୟାଗ କେହି ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ । ଏହି ଅଭିଯୋଗ ପରେ ଅନୁଗୁଳ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା ।

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ ମତେ ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ତତ୍ବାବଧାନରେ ଅନୁଗୁଳ ଥାନା ଅଧିକାରୀ ଓ ଅନ୍ୟ ସ୍ଟାଫ ମିଶି ଆଖପାଖରେ ଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରିବା ସହ ବିଭନ୍ନ ସ୍ଥାନରେ ପଚରାଉଚରା କରିଥିଲେ । ତଦନ୍ତ ବେଳେ କଟକ କଳଡ଼ାବବ୍ୟାଙ୍କର ଅସିତ କୁମାର ନାଏକ ନାମକ ଜଣେ ଯୁବକ ଏହି ଚୋରି କରିଥିବା ଜଣା ପଡିଥିଲା । ପୁଲିସ ଅସିତ ରହୁଥିବା ଘରେ ଚଢ଼ାଉ କରି ଗୋଟିଏ ଏସି , ଗୋଟିଏ ଫ୍ରିଜ , ଡୋର ସ୍କ୍ରୀନ , ଗୋଟିଏ ଟ୍ରଲି ବ୍ୟାଗ , ଦୁଇଟି କଟର ମେସିନ , ଗୋଟିଏ ଡ୍ରିଲ ମେସିନ , କଳାରଙ୍ଗର ପୁଲସର ମୋଟର ସାଇକେଲ ଏବଂ ଗୋଟିଏ ସାମସଙ୍ଗ ମୋବାଇଲ ଫୋନ ଜବତ କରିଥିଲା । ସେ ଘରର ତାଲା ଭାଙ୍ଗିବା ପରେ ଏକ ଅଟୋ ଭଡା କରି ଏହି ସବୁ ଜିନିଷ ନେଇ ଯାଇଥିଲା । ତାକୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି ।