ଅନୁଗୁଳ – ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଆଡହକ ଏବଂ ସେସନ ଜଜ (ଫାଷ୍ଟଟ୍ରାକ କୋର୍ଟ) ।
ସୂଚନା ଅନୁସାରେ ୨୦୨୧ ଅଗଷ୍ଟ ୯ ତାରିଖ ରେ ଅନୁଗୁଳ ଥାନା ଅଞ୍ଚଳର ଜଣେ ନାବାଳିକା ଘରେ ଏକୁଟିଆ ଥିବା ବେଳେ କିଶୋରନଗର ଥାନା ତୁରୁଡ଼ା ଗାଁର ପ୍ରଜାରଞ୍ଜନ ରାଉଳ ନାମକ ଜଣେ ଯୁବକ ନାବାଳିକାଙ୍କୁ ଅପହରଣ କରି ନେଇଥିଲା । ନାବାଳିକାଙ୍କୁ ଅପହରଣ କରିବା ବେଳେ ସେ ନାବାଳିକାଙ୍କ ଘରୁ ୨ ଲକ୍ଷ ଟଙ୍କା ଏବଂ ଆକାଉଣ୍ଟରୁ ୫ ହଜାର ଟଙ୍କା ନେଇ ପଳାଇଥିଲା । ଘଟଣା ଜଣା ପଡିବା ପରେ ନାବାଳିକାଙ୍କ ପରିବାର ପକ୍ଷରୁ ଅନୁଗୁଳ ଥାନାରେ ଅଭିଯୋଗ କରା ଯାଇଥିଲା । ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ କରି ନାବାଳିକାଙ୍କୁ ଉଦ୍ଧାର କରି ଅଭିଯୁକ୍ତ ପ୍ରଜାରଞ୍ଜନକୁ ଗିରଫ କରିଥିଲା । ଏହି ଘଟଣାରେ ୧୩ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ସୋମବାର ଅନୁଗୁଳ ଅତିରିକ୍ତ ଜିଲ୍ଲା ଆଡହକ ଏବଂ ସେସନ ଜଜ (ଫାଷ୍ଟଟ୍ରାକ କୋର୍ଟ) ବିରଞ୍ଚି ନାରାୟଣ ମିଶ୍ର ମାମଲାର ଶୁଣାଣି କରି ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବା ସହ ୨୫ ହଜାର ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି । ଜୋରିମନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ଆଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ପ୍ରଦୀପ କୁମାର ଭୁତିଆ ପରିଚାଳନା କରିଥିଲେ ।