ଅନୁଗୁଳ – ଅନୁଗୁଳ ସଦର ଥାନା ଚନ୍ଦ୍ରାବାହଳ ଗାଁରେ ଏକ ହତ୍ୟାକାଣ୍ଡ ହୋଇ ଯାଇଛି। ସାମାନ୍ୟ କଲହରୁ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରିଛନ୍ତି ଜଣେ ଯୁବକ। ମୃତ ବୃଦ୍ଧ ଜଣଙ୍କ ହେଲେ ଚନ୍ଦ୍ରାବାହଳ ଗାଁର ନନ୍ଦକିଶୋର ରାଉତ ।
ସୂଚନା ଅନୁସାରେ ନନ୍ଦକିଶୋର ରାଉତଙ୍କ ସହ ସେହି ଗାଁର ସରୋଜ ବେହେରାଙ୍କ ପୂର୍ବରୁ ଜମିବାଡିକୁ ନେଇ ବିବାଦ ଥିଲା । ଗତ କିଛି ତଳେ ସରୋଜଙ୍କ ଟ୍ରକ ନନ୍ଦକିଶୋରଙ୍କୁ ସାମାନ୍ୟ ଧକ୍କା ଦେଇଥିଲା। ଯେଉଁଥିରେ ନନ୍ଦକିଶୋର ଆହତ ହୋଇଥିବା ବେଳେ ସରୋଜ କ୍ଷତିପୂରଣ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଦିନ ଗଡି ଚାଲିଥିଲେ ମଧ୍ୟ ସରୋଜ କ୍ଷତିପୂରଣ ଦେଉ ନଥିବା ବେଳେ ନନ୍ଦକିଶୋରଙ୍କ ସହ ଝଗଡା କରୁଥିଲେ। ଆଜି ମଧ୍ୟ ନନ୍ଦକିଶୋର କ୍ଷତିପୂରଣ ମାଗିବାରୁ ସରୋଜ ଝଗଡା କରିବା ଏକ ଥାପଡ଼ ମାରିବା ସହ ଏକ ବାଡ଼ିରେ ବାଡେଇ ଦେଇଥିଲେ। ଫଳରେ ନନ୍ଦକିଶୋର ସେଠାରେ ଥିବା ପଥର ଗଦାରେ ପଡି ଯାଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସଦର ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

