ଅନୁଗୁଳ – ନାବାଳିକାଙ୍କ ଉଲଗ୍ନ ମୃତଦେହ ଭାସୁଛି ନାଳରେ । ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏଭଳି ଘଟଣା ଅନୁଗୁଳ ସଦର ଥାନା ଶ୍ୟାମସୁନ୍ଦରପୁର ଗାଁରେ ଘଟିଛି ।
ସୂଚନା ଅନୁସାରେ ଗାଁର ୫ ମ ଶ୍ରେଣୀରେ ପଢୁଥିବା ଜଣେ ୧୦ ବର୍ଷର ନାବାଳିକା ଗତକାଲିଠାରୁ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ କୌଣସି ସନ୍ଧାନ ନ ପାଇବା ପରେ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ । ହେଲେ ଆଜି ସକାଳେ ନାବାଳିକାଙ୍କ ଉଲଗ୍ନ ମୃତଦେହ ଗାଁ ମୁଣ୍ଡ ନାଳରୁ ଉଦ୍ଧାର ହୋଇଥିଲା । ପରିବାର ଲୋକଙ୍କ କହିବା ଅନୁଯାୟୀ ନାବାଳିକାଙ୍କ ବେକରେ , ମୁହଁରେ କ୍ଷତ ଚିହ୍ନ ରହିଛି । ନାବାଳିକାଙ୍କୁ କେହି ଦୁଷ୍କର୍ମ ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏଥିପାଇଁ ଗାଁରେ ଉତ୍ତେଜନା ପ୍ରକାଶ ପାଇବା ସହ ଶବଳଭଙ୍ଗା ଗାଁ ଠାରେ ରାସ୍ତାରୋକ କରିଛନ୍ତି । ଯାହା ଫଳରେ ଅନୁଗୁଳରୁ ବନ୍ତଳା ଯିବାଆସିବା ବାଧାପ୍ରାପ୍ତ ହୋଇଛି ।
ଘଟଣା ସ୍ଥଳରେ ପୁଲିସ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ନେଇ ତଦନ୍ତ ଆରମ୍ଭ କରିଛି । ଅନୁଗୁଳ ଏସ ପି ରାହୁଲ ଜୈନ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଏକ ୟୁଡି କେଶ କରାଯାଇଛି । ଥାନା ଅଧିକାରୀ ନିଜେ ଘଟଣାର ତଦନ୍ତ କରିବା ସହ ଖୋଦ ଏସ ପି ଘଟଣାରେ ସୁପରଭିଜନ କରିବେ ବୋଲି କହିଛନ୍ତି । ଅଭିଯୋଗ ଅନୁଯାୟୀ ସବୁ ଦିଗରୁ ତଦନ୍ତ କରାଯାଉଛି ବୋଲି ଏସ ପି କହିବା ସହ ଘଟଣାକୁ ଗୁରୁତ୍ୱର ସହ ନିଆ ଯାଇଛି ବୋଲି ମଧ୍ୟ କହିଛନ୍ତି । ନାବାଳିକା ଝିଅଟି ସେହି ଅଂଚଳର ଅଲିଆଳି ଓ ସମସ୍ତଙ୍କ ପ୍ରିୟ ଥିଲା । ସମସ୍ତଙ୍କ ଭାବାବେଗ ଏଜି ଘଟଣାରେ ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହୋଇ ପାରିବ ।