ଅନୁଗୁଳ – ଗୋଟିଏ ପଟେ ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ ଜିଲ୍ଲାରେ ଟିକାକରଣ ଅଭିଯାନ ନୈରାଶ୍ୟଜନକ ରହୁଛି । ରାଜ୍ୟରେ ୩୦ଟି ଜିଲ୍ଲା ମଧ୍ୟରୁ ଟିକାକରଣରେ ୨୧ତମ ସ୍ଥାନରେ ରହିଛି ଅନୁଗୁଳ ଜିଲ୍ଲା । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧ଲକ୍ଷ ୩୯ହଜାର ୭୨୫ଜଣଙ୍କୁ ଟିକା ଦିଆଯାଇଛି । ସେଥିରୁ ୧ଲକ୍ଷ ୧୦ହଜାର ୬୮୫ ଜଣ ପ୍ରଥମ ଏବଂ ୨୯ ହଜାର ୪୦ ଜଣ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି । ଟିକା ଗ୍ରହଣକାରୀଙ୍କ ମଧ୍ୟରେ ରହିଛନ୍ତି ୪୫ ବର୍ଷରୁ ଅଧିକ ସାଧାରଣ ନାଗରିକ, ସ୍ୱାସ୍ଥ୍ୟ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ରାଜସ୍ୱ ଏବଂ ଗୃହ ବିଭାଗର ଅଧିକାରୀ । ଏପରିକି ପଛୁଆ ଜିଲ୍ଲା ଭାବେ ଗଣାଯାଉଥିବା କଳାହାଣ୍ଡି, କୋରାପୁଟ, ରାୟଗଡ଼ା ଏବଂ ନବରଙ୍ଗପୁର ଭଳି ଜିଲ୍ଲା ମଧ୍ୟ ଅନୁଗୁଳ ଠାରୁ ଟିକାକରଣରେ ଆଗୁଆ ଅଛନ୍ତି ।


