ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଦେଇ ଯାଇଥିବା ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ଗ୍ରାମ ମଧ୍ୟ ଦେଇ କୋଇଲା ପରିବହନ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ଛେଣ୍ଡିପଦା ବ୍ଲକ ସଦର ମହକୁମାରେ ଥିବା ନୟନୀ କୋଇଲା ଖଣିରୁ ଆଜି କୋଇଲା ପରିବହନ ପାଇ ମସୁଧା ଚଳାଇଥିବା ବେଳେ, କୋଶଳା ଗ୍ରାମବାସୀଙ୍କ ପକ୍ଷରୁ ତିବ୍ର ବିରୋଧ କରିବା ସହିତ ଶାନ୍ତିପୂର୍ଣ୍ଣ ଭାବେ ଅହିଂସା ନୀତିରେ ପାଳି କରି ଜୋଇଲା ପରିବହନ କୁ ବିରୋଧ କରିବେ ବୋଲି ନିଷ୍ପତି ନେଇଛନ୍ତି ।

ସୂଚନା ଅନୁସାରେ , ଅନୁଗୋଳ – ଛେଣ୍ଡିପଦା ଯାଇଥିବା ୬୩ନଂ ଜାତୀୟ ରାଜପଥ କୋଶଳା ଗ୍ରାମରେ ୪ କିମି ଲମ୍ବା ରହିଛି । ଏହି ରାସ୍ତା ଦେଇ ଖଣି ପକ୍ଷରୁ କୋଇଲା ପରିବହନକୁ ନେଇ ମସୁଧା ଚଳାଇଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ଏହାକୁ ଦୀର୍ଘ ଦିନ ହେବ ବିରୋଧ କରିଆସୁଛନ୍ତି । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଏକ ବାଇପାସ ରାସ୍ତା ନିର୍ମାଣ କରିବା ପାଇଁ ବିଭିନ୍ନ ମହଲରେ ଦାବି କରାଯାଇ ଥିଲେ ମଧ୍ୟ ଏହାକୁ କର୍ଣ୍ଣପାତ କରାଯାଉ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଅପରପକ୍ଷେ ଆଜି ନୟନୀ କୋଇଲା ଖଣିରୁ ଦୀର୍ଘ ଦିନ ପରେ ଟ୍ରକରେ କୋଇଲା ଲୋଡିଙ୍ଗ କରାଯାଉଥିବା ଦେଖି ଗ୍ରାମବାସୀଙ୍କ ଚିନ୍ତା ବଢ଼ାଇ ଦେଇଥିଲା । ଏଥିପାଇଁ କୋଶଳା ଗ୍ରାମବାସୀଙ୍କ ପକ୍ଷରୁ ରାମଚଣ୍ଡୀ ମନ୍ଦିର ପରିସରରେ କୋଶଳା ଗ୍ରାମ ସଭାପତି କୁତାର୍ଥ ଦେହୁରୀଙ୍କ ତତ୍ୱାବଧାନରେ ଏକ ଜରୁରୀ ବୈଠକ ଡକାଯାଇଥିଲା । ଉକ୍ତ ବୈଠକରେ ଛେଣ୍ଡିପଦାରୁ କୋଶଳା ରାସ୍ତାରେ ବିଦ୍ୟାଳୟ, ମହାବିଦ୍ୟାଳୟ ସହ ଦୈନିକ ହଜାର ହଜାର ଲୋକ ଯାତାୟତ କରୁଥିବାରୁ କୋଇଲା ପରିବହନ ହେଲେ ଧନ ଜୀବନ ପ୍ରତି ବିପଦ ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକଟ କରାଅ ଯାଇଥିଲା । ତେଣୁ ଉକ୍ତ ରାସ୍ତାରେ ଜନସାଧାରଣଙ୍କ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ କୋଇଲା ପରିବହନ କରାଇ ନଦେବା ପାଇଁ ନିଷ୍ପତି ନେଇଥିଲେ । ଏନେଇ ଏକ ଗ୍ରାମ୍ୟ କମିଟି, ମହିଳା କମିଟି ଓ ଯୁବ ଗୋଷ୍ଠୀଙ୍କୁ ନେଇ ଏକ କମିଟି ଗଠନ କରିବା ସହିତ ରାସ୍ତାରେ ପାଳିକରି ଜଗିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ବୈଠକରେ ପୂର୍ବତନ ବିଧାୟକ ସୁଶାନ୍ତ ବେହେରା,ସମ୍ପାଦକ ନିରଞ୍ଜନ ସାହୁ, କୋଷାଧକ୍ଷ ସିଦ୍ଧାର୍ଥ ଶଙ୍କର ସାହୁ, ସରପଞ୍ଚ ଉଦିତ ପ୍ରଧାନ, ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ସଭାପତି ଭାଷ୍କର ଚନ୍ଦ୍ର ସାହୁଙ୍କ ସମେତ କୋଶଳା ଗ୍ରାମର ୪୭ ଜଣ ଦଳପତି ଓ ବିଭିନ୍ନ ଯୁବ ସଂଗଠନର କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇଥିଲେ । ଏତଦ ବ୍ୟତୀତ ଏହି ବୈଠକରେ ଚାଙ୍ଗୁଡ଼ିଆ, ବ୍ରାହ୍ମଣବିଲ, ବାଲିନାଲି ଆଦି ଆଖପାଖ ଗ୍ରାମର କର୍ମକର୍ତା ମାନେ ଯୋଗଦେଇଥିଲେ ।

