ଅନୁଗୁଳ – ଅନୁଗୁଳ ଜିଲ୍ଲା ଖମାର୍ ଥାନା ଅନ୍ତର୍ଗତ କଣ୍ଟିଆପଶୀ ଗାଁରେ ଶିବାନୀ ଗଣନାଟ୍ୟ ନାଟକ ପରିବେଷଣ କରୁଛି । ଯେଉଁଥିପାଇଁ ଦର୍ଶକ ମାନେ ନାଟକ ଦେଖିବାକୁ ଯାଉଛନ୍ତି । କିନ୍ତୁ ଯାତ୍ରା କମିଟିର ସଦସ୍ୟଙ୍କ ଦୁର୍ବ୍ୟବହାର ଏବଂ ସଂଘବଦ୍ଧ ଆକ୍ରମଣ ଘଟଣାକୁ ନେଇ କିଛି ଦର୍ଶକ ଥାନାର ଦ୍ବାରସ୍ଥ ହୋଇଛନ୍ତି ଏବଂ ଯାତ୍ରା କମିଟି ସଦସ୍ୟଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ , ଶିପୁର ଗ୍ରାମର ଶ୍ରୀବତ୍ସ ସାମଲ ତାଙ୍କର କିଛି ସାଥିଙ୍କୁ ନେଇ ନାଟକ ଦେଖିବାପାଇଁ କଣ୍ଟିଆପଶୀ ଯାତ୍ରା ପଡିଆ ପାଖରେ ପହଞ୍ଚିଥିଲେ । ସେଠାରେ ସେ ୨୫୦ ଟଙ୍କା ଲେଖାଏଁ ଦେଇ କରିଥିବା ୫ଟି ଟିକେଟକୁ ଦାୟିତ୍ୱରେ ଥିବା କମିଟି ସଦସ୍ୟଙ୍କୁ ଦେଖାଇଥିଲେ ନିଜ ସିଟ୍ ଚିହ୍ନଟ କରିବା ପାଇଁ । କିନ୍ତୁ କମିଟି ସଦସ୍ୟ ଯେତେବେଳେ ଟିକେଟରେ ଲେଖାଥିବା ସିଟ୍ ପାଖରେ ପହଞ୍ଚିଥିଲେ ସେଠାରେ ଦେଖିବାକୁ ପାଇଥିଲେ ଯେ ସେହି ସିଟ୍ ରେ ଅନ୍ୟ କିଛି ଦର୍ଶକ ବସିଛନ୍ତି । ସେମାନଙ୍କ ଟିକେଟ ଯାଞ୍ଚ କରିବାରୁ ସେମାନଙ୍କୁ ମଧ୍ୟ ସେହି ସମାନ ସିଟ୍ ର ଟିକେଟ ଦିଆଯାଇଥିବା ଦେଖିବାକୁ ପାଇଥିଲେ । ପରେ କମିଟି ସଦସ୍ୟ ଶ୍ରୀବତ୍ସଙ୍କୁ ସିଟ୍ ନ ଥିବା ଦର୍ଶାଇଥିଲେ । ତେବେ ଶ୍ରୀବତ୍ସ କମିଟି ସଦସ୍ୟଙ୍କୁ କହିଥିଲେ ଯେ ଏତେ ରାତିରେ ଆମେ ଦର୍ଶକମାନେ ନାଟକ ଦେଖିବାକୁ ଆସୁଛୁ କିନ୍ତୁ କମିଟି ମେମ୍ବର ମାନେ ଗୋଟେ ସିଟ୍ ପାଇଁ ଏକାଧିକ ଥର ଟିକେଟ ବିକ୍ରି କରି ଦର୍ଶକ ମାନଙ୍କୁ ଲୁଟୁଛନ୍ତି । ଏହି କଥାରେ ଉତକ୍ଷିପ୍ତ ହୋଇ କମିଟିର କିଛି ସଦସ୍ୟ ଶ୍ରୀବତ୍ସ ଏବଂ ତାଙ୍କ ସାଥୀ ମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଶ୍ରୀବତ୍ସଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଯେଉଁ ଆକ୍ରମଣରେ ଆହତ ହୋଇ ଶ୍ରୀବତ୍ସ ପ୍ରଥମେ ଖମାର ଥାନାର ଦ୍ବାରସ୍ଥ ହୋଇଥିଲେ । ସେଠାରୁ ଶ୍ରୀବତ୍ସଙ୍କୁ ପୁଲିସ, ଖମାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଘଟଣା ସମ୍ପର୍କରେ କମିଟି ସଦସ୍ୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।