ନୈନି କୋଇଲା ଖଣିରୁ କୋଇଲା ପରିବ‌ହ‌ନ ନିମନ୍ତେ ସମନ୍ୱୟ ବୈଠକ ବିଫଳ

ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ନୈନି କୋଇଲା ଖଣିରୁ କୋଇଲା ପରିବହନକୁ ନେଇ ଛେଣ୍ଡିପଦା ବ୍ଲକର ବିଭିନ୍ନ ଗାଁରେ ଜନ ଆନ୍ଦୋଳନ ମୁଣ୍ଡ ଟେକିଛି । କୋଇଲା ପରିବହନ ହେଲେ ଗାଁରେ ପ୍ରଦୂଷଣ ବୃଦ୍ଧି ପାଇବା ସହିତ କୃଷି ପ୍ରଭାବିତ ହେବ ଏବଂ ଜନ ଜୀବନ ବିପଦରେ ପଡିବ । ଏହି ଆଶଙ୍କାରେ ବ୍ଲକର ପ୍ରାୟ ୧୦ରୁ ଉର୍ଦ୍ଧ ଗାଁରେ ଗାଡି ଚଳାଚଳକୁ ବିରୋଧ କରି ରାତିସାରା ଉଜାଗର ରହି ଗାଁ ରାସ୍ତାକୁ ଜଗି ରହିଛନ୍ତି ।

ଏଥିପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାର ଆଶଙ୍କା ରହିଛି । ଏହି ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ପାଇଁ ଛେଣ୍ଡିପଦା ତହସିଲଦାର ମାନସ ରାୟଙ୍କ ଅଧକ୍ଷତାରେ ଛେଣ୍ଡିପଦା ବ୍ଲକର କୋଶଳା, ଚାଙ୍ଗୁଡ଼ିଆ, ସନ୍ତରାବନ୍ଧ, ବ୍ରାହ୍ମଣବିଲ, ଛେଣ୍ଡିପଦା, ଡ଼ାହିବର, ଖଙ୍ଗୁରିଆ, କଙ୍କୁରପାଳ ଆଦି ଗ୍ରାମ୍ୟ କମିଟିକୁ ନେଇ ଧାର୍ଯ୍ୟ ସମୟରେ ଏକ ସମନ୍ୱୟ ବୈଠକ ବସିଥିଲା । ଉକ୍ତ ବୈଠକରେ ନୈନି କୋଇଲା ଖଣିରୁ ମିନାକ୍ଷୀ ଏନର୍ଜି ଲିମିଟେଡ଼ ତିରୁପତି, ଡେରେଙ୍ଗ ଜେଆଇଟିପିଏଲ , ଅନୁଗୋଳ ଜେଏସପିଏଲ ,କମଳାଙ୍ଗ ଜୀଏମଆର  ଏନର୍ଜି ଲିମିଟେଡ଼କୁ କୋଇଲା ପରିବହନ ପାଇଁ ଟ୍ରକ ମାଧ୍ୟମରେ ବିଭିନ୍ନ ରାସ୍ତା ଦେଇ ପରିବହନ କରାଯିବା ପାଇଁ ଯୋଜନା କରାଯାଇଛି । ତେଣୁ ସ୍ଥାନୀୟ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସହିତ ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରଖିବା ପାଇଁ ତହସିଲଦାର ଗ୍ରାମବାସୀଙ୍କୁ ନିବେଦନ କରିବା ସହିତ ଗ୍ରାମବାସୀଙ୍କର ଗାଡି ଚଳାଚଳକୁ ନେଇ ଥିବା ବିଭିନ୍ନ ଅଭିଯୋଗ ଶୁଣିଥିଲେ । ପ୍ରାୟ ୨ଘଣ୍ଟା ଧରି ଆଲୋଚନା ପରେ ଗ୍ରାମବାସୀ ମାନେ ଗ୍ରାମ୍ୟ ରାସ୍ତା ଦେଇ କିମ୍ବା ୬୩ନଂ ରାଜ୍ୟ ରାଜପଥରେ କୋଇଲା ପରିବହନ କରାଇ ଦେବେ ନାହିଁ ବୋଲି କହିଥିଲେ । ଅପରପକ୍ଷେ ଦୀର୍ଘ ୪ଦିନ ଧରି କୋଇଲା ବୋଝେଇ ହୋଇ ଟ୍ରକ ଗୁଡିକ ଛିଡା ହୋଇଥିବା ନେଇ ଛେଣ୍ଡିପଦା ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଏହାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଭେଟିଥିଲେ । ଏନେଇ ଜିଲ୍ଲାପାଳ ଟ୍ରକ ଚଳାଚଳ ନେଇ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇ ପରିବ ନାହିଁ ବୋଲି କହିଥିଲେ । ଫଳରେ ଏହି କୋଇଲା ପରିବହନକୁ ନେଇ ଦିନକୁ ଦିନ ଛେଣ୍ଡିପଦାରେ ଅସନ୍ତୋଷ ବୃଦ୍ଧି ପାଉଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page