ଅନୁଗୁଳ – ସହରର ଯେଉଁଠି ଦେଖିବ ଗାଈ ଗୋରୁ । ରାସ୍ତା ଉପରେ ଶୋଇ ରହୁଛନ୍ତି ଏହି ବୁଲା ଗାଈ ଗୋରୁ । ଏହି ଗାଈ ଗୋରୁଙ୍କ ପାଇଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ଏଥିପାଇଁ ଅନୁଗୁଳ ଜିଲ୍ଲା କଂଗ୍ରେସ,ଯୁବ କଂଗ୍ରେସ,ଛାତ୍ର କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ଦଳ ଆଜି ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।
ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ଏକ ଶିଳ୍ପ ଶମୃଦ୍ଧ ଜିଲ୍ଲା । ଜିଲ୍ଲାରେ ଏବେ ଏକ ପ୍ରମୁଖ ସମସ୍ୟା ହେଲା ବିଭିନ୍ନ ରାସ୍ତାଘାଟ, ଛକ ଜାଗା ଓ ଜନଗହଳି ପୂର୍ଣ ଜାଗା ଗୁଡିକରେ ଏବେ ବୁଲା ଗାଈ ଗୋରୁ , ଷଣ୍ଢ ମାନେ ବୁଲୁଛନ୍ତି । ବିଶେଷ କରି ଜିଲ୍ଲା ସଦର ମହକୁମାରେ ଥିବା ଜିଲ୍ଲା ପରିବହନ ଅଧିକାରୀଙ୍କ କାର୍ଯାଳୟ ସମ୍ମୁଖରେ ଥିବା ଜାତୀୟ ରାଜପଥରେ ଦୈନିକ ଶହ ଶହ ଗାଈ ଓ ଷଣ୍ଢ ବୁଲୁଛନ୍ତି । ସହରର ମଧ୍ୟ ସବୁ ଗଳି ଜାଗାରେ, ଛକ ଜାଗାରେ ବହୁ ଗାଈଗୋରୁ ବୁଲିବା ସହ ରାସ୍ତା ଉପରେ ରହୁଛନ୍ତି। ଯାହା ଫଳରେ ପ୍ରାୟ ସମୟ ରେ ଜନସାଧାରଣଙ୍କୁ ବହୁ ଅସୁବିଧାରେ ସମୁଖୀନ ହେବାକୁ ପଡୁଛି । ଅକାରଣେ ଦୁର୍ଘଟଣା ମଧ୍ୟ ଘଟୁଛି। ରାଜ୍ୟ ସରକାର ବୁଲା ଗାଈ ଗୋରୁ ଳଙ୍କ ରକ୍ଷଣାବେକ୍ଷଣ ନିମନ୍ତେ ଅନେକ ଯୋଜନା କରିଥିଲେ ମଧ୍ୟ ଜିଲ୍ଲାରେ ଏହିପରି ସମସ୍ୟା ଉପୁଜିବା ଖୁବ ନିନ୍ଦନୀୟ ଘଟଣା ବୋଲି ଅଭିଯୋଗ କରିଛନ୍ତି । ଏହି ସମସ୍ୟା ଉପରେ ଦୃଷ୍ଟି ଦେଇ ସାତ ଦିନ ମଧ୍ୟରେ ଏହି ସମସ୍ୟା ନିରାକରଣ ନିମନ୍ତେ କାର୍ଯାନୁଷ୍ଠାନ ଗ୍ରହଣ ନକଲେ ବାଧ୍ୟ ହୋଇ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି କଂଗ୍ରେସର ଛାତ୍ର ଓ ଯୁବ ଗୋଷ୍ଠୀ ।

