ଫାଇଲେରିଆ ରୋଗ ର ସଂକ୍ରମଣ ହାର ଆକଳନ

ତାଳଚେର – ଏଇ ନିକଟରେ ଶେଷ ହୋଇଛି ଅନୁଗୁଳ ଜିଲ୍ଲାର ତିନୋଟି ବ୍ଲକ ଅନୁଗୁଳ,ବଅଁରପାଳ ଓ ପାଲଲହଡା ରେ ଜାତୀୟ ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ । କିନ୍ତୁ ଯେଉଁ ବ୍ଲକ ଗୁଡ଼ିକ ରେ ବିଗତ ବର୍ଷରେ ସାମୁହିକ ଔଷଧ ସେବନରେ ସଫଳତା ପାଇଛି ବୋଲି ଚଳିତ ବର୍ଷରୁ ବାଦ ପଡିଥିଲା ସେ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ମିଳିତ ଉଦ୍ୟମରେ ସଂକ୍ରମଣ ହାର ଆକଳନ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ତାଳଚେର ଡେରା ସ୍ଥିତ ଶ୍ରୀ ଅରବିନ୍ଦ ପାଠ୍ୟଚକ୍ର ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ରକ୍ତରେ ଫାଇଲେରିଆ ସଂକ୍ରମଣ ହାର ପରୀକ୍ଷଣର ଶୁଭାରମ୍ଭ ହୋଇଛି । ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ମଦନ ମୋହନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଆକଳନ ପ୍ରକ୍ରିୟା ପ୍ରଥମ ପର୍ଯ୍ୟାୟରେ ଦୁଇଟି ବ୍ଲକ ଯଥାକ୍ରମେ ତାଳଚେର ଓ କଣିହାଁ ରେ କରାଯିବ। ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ରେ ପଢ଼ୁଥିବା ଛାତ୍ର ଛାତ୍ରୀ ରକ୍ତ ନମୂନା ସଂଗ୍ରହ କରି ଫାଇଲେରିଆ ସଂକ୍ରମଣ ହାର ଚିହ୍ନଟ ହେବ। ଦୁଇଟି ବ୍ଲକର ମୋଟ ୧୮୬୦ ଶିଶୁଙ୍କ ରକ୍ତ ପରୀକ୍ଷଣ ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ କିଶୋର ନଗର ବ୍ଲକରେ ୧୫୨୦ ଶିଶୁଙ୍କ ପରୀକ୍ଷା ହେବ ବୋଲି ଅଣୁ ଯୋଜନାରେ ସ୍ଥିର ହୋଇଛି । ବୈଜ୍ଞାନିକ ପଦ୍ଧତିରେ ମ୍ୟାପିଂ ହୋଇ ସ୍ଥିରକୃତ ତାଳଚେର ଓ କଣିହାଁ ର ୬୪ ଟି ସ୍କୁଲ ଓ କିଶୋର ନଗର ବ୍ଲକର ୭୮ ଟି ସ୍କୁଲ ରେ ନମୂନା ସଂଗ୍ରହ ହୋଇ ଆସନ୍ତା ୨୫ ସେପ୍ଟେମ୍ବର ସୁଦ୍ଧା ଆକଳନ ପ୍ରକ୍ରିୟା ଶେଷ ପାଇଁ ନିଘଣ୍ଟ ଦିଆ ଯାଇଛି । ମୋଟ ୬ଟି ଟିମକୁ ନେଇ ତିନୋଟି ବ୍ଲକରେ ଏହି କାର୍ଯ୍ୟକ୍ରମ ସମ୍ପାଦନ କରାଯିବ । ପ୍ରତି ଟିମରେ ଜଣେ ଲ୍ୟାବ ଟେକ୍ନିସିଆନ, ଦୁଇଜଣ ସ୍ୱାସ୍ଥ୍ୟ କର୍ମୀ, ଭେକ୍ଟର ବାହକ ରୋଗ ବୈଷୟିକ ପରିଦର୍ଶକ ସମେତ ସ୍ଥାନୀୟ ଆଶା କର୍ମୀ ସାମିଲ ହେବେ । ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ସ୍କୁଲ ଶିକ୍ଷକ ମାନେ ଏହି ଆକଳନ ପ୍ରକ୍ରିୟାରେ ସହଯୋଗ କରିବାକୁ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ପ୍ରଧାନ ନିବେଦନ କରିଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାନକ ଅନୁଯାୟୀ ଏହି ନମୂନା ସର୍ଭେ ରୁ ତଥ୍ୟ ପରଖି ଏହି ଆକଳନ ପ୍ରକ୍ରିୟା ଆଗାମୀ ଦିନରେ ଆଉ ଦୁଇଟି ପର୍ଯ୍ୟାୟ ରେ ମୋଟ ୩ ଥର ହେବ।ରକ୍ତରେ ଫାଇଲେରିଆ ଜୀବାଣୁ ହାର ର ତଥ୍ୟ ଯଦି ସକାରାତ୍ମକ ମାନଦଣ୍ଡ ପରିଧିକୁ ଆସିଲା ତେବେ ଏହି ସବୁ ବ୍ଲକ ଗୁଡିକ ଫାଇଲେରିଆ ମୁକ୍ତ ଅଞ୍ଚଳ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା କରିବ। ଏହି ଆକଳନ ଟିମରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରାଜ୍ୟ ସଂଯୋଜକ ଡା: ବିଶ୍ୱ ପ୍ରକାଶ ଦତ୍ତ ,ଡା: ଶ୍ୟାମବନ୍ଧୁ ରଥ, ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା: ପୂର୍ଣ୍ଣିମା ଉଦଗାତା, ଶ୍ରୀ ଅରବିନ୍ଦ ପାଠ୍ୟଚକ୍ର ବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରମୋଦ କୁମାର ସାମଲ, ଜିଲ୍ଲା ଭେକ୍ଟର ବାହକ ରୋଗ ପରାମର୍ଶ ଦାତା ଶକ୍ତି ପ୍ରସନ୍ନ ମିଶ୍ର, ଜିଲ୍ଲା କୀଟ ବିଜ୍ଞାନୀ ପ୍ରେମାଞ୍ଜନ ପଣ୍ଡାଙ୍କ ସମେତ ଗୋଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟଟିମ ସାମିଲ ଥିଲେ।

Advertisement

Leave a Reply

Your email address will not be published. Required fields are marked *