ଆଜି ପିତୃତ୍ୱ ଦିବସ – ବାପାଙ୍କୁ ଝୁରୁଛନ୍ତି …

ଅନୁଗୁଳ – ସାରା ବିଶ୍ୱ ଆଜି ପାଳୁଛି ପିତୃତ୍ୱ ଦିବସ । ବାପାଙ୍କ ପାଇଁ ସମର୍ପିତ ଦିନଟିଏ । ବାପାଙ୍କ ପ୍ରତି ରହିଥିବା ଭଲପାଇବାକୁ ପିଲାମାନେ ବିଭିନ୍ନ ମାଧ୍ୟମରେ ପରିପ୍ରକାଶ କରୁଛନ୍ତି । କିନ୍ତୁ ଅନେକ ସନ୍ତାନଙ୍କ ଆଖିରେ ଲୁହ ଭରିଦେଇଛି ଆଜି ଦିନଟି । ମହାମାରୀ ଅନେକ ସନ୍ତାନଙ୍କ ମୁଣ୍ଡ ଉପରୁ ବାପାଙ୍କ ହାତକୁ ଛଡ଼ାଇନେଇଛି । ବେସାହାରା କରିଦେଇଛି କରୋନା । ବାପା କଣ ବୋଲି ଜାଣିବା ଆଗରୁ ତାଙ୍କୁ ହରେଇ ସାରିଛନ୍ତି ଅନେକ ଅବୋଧ ଶିଶୁ । ସକାଳ ପାହିଲେ ବାପାଙ୍କ ଗାଡ଼ିରେ ବସି ଘେରାଏ ବୁଲିଆସୁଥିବା ପିଲାଟି ଆଜିବି ଅପେକ୍ଷରତ । ନୂଆ ନୂଆ ଜିନିଷ ଆଣି ଦେବାକୁ ଅଳି କରୁଥିବା ପିଲା ଆଜିବି ଖୋଜୁଛି ବାପାଙ୍କୁ । କିନ୍ତୁ ସେ ଯେ ଆଉ ଫେରିବେନି ତାହା ବିଶ୍ୱାସର ବଳୟ ବାହାରେ । ବାପାଙ୍କୁ ଚିହ୍ନିବା ଆଗରୁ କିଏ ତାଙ୍କୁ ହରାଇ ସାରିଛନ୍ତି ତ ଆଉ କିଏ ବାପାଙ୍କ ହାତଧରି ବାଟ ଚାଲୁଚାଲୁ ଝୁଣ୍ଟି ପଡିଛନ୍ତି । ପିତୃତ୍ୱ ଦିବସରେ ଝୁରୁଛନ୍ତି ବାପାଙ୍କୁ ।

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ରଙ୍କାସିଙ୍ଗା ଗାଁର କୁନି ଝିଅଟିଏ ତାର ବାପା-ମା ଙ୍କୁ ଉଭୟଙ୍କୁ ହରାଇଛି । ଗାଁର ମଳୟ ବସନ୍ତ ଦେହୁରୀ ଯେକି ନାଲକୋରେ କାର୍ଯ୍ୟରତ ଥିଲେ କରୋନାରେ ପୀଡିତ ହୋଇ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ସହ ତାଙ୍କ ସ୍ତ୍ରୀ ସୌଦାମିନୀ ଓ ମା ମାଳତୀଙ୍କୁ ମଧ୍ୟ ଗିଳି ଦେଇଛି ମହାମାରୀ କରୋନା । କରୋନା ଯୁଦ୍ଧରେ କୁନି ଝିଅ ରାନୀ ତାର ସମଗ୍ର ପରିବାରକୁ ହରାଇଥିବା ବେଳେ ଯୁଦ୍ଧରେ ସେ ଏକା ଜିତି ଯାଇଛି । ଆଉ ଏବେ ତାର ଆଖି ଖୋଜି ବୁଲୁଛି ବାପାଙ୍କୁ । ସେହିଭଳି କିଶୋରନଗର ବ୍ଳକ୍ ଧଡ଼ରାପାଳ ପଞ୍ଚାୟତ ଚିନ୍ତାମଣିପୁର ସୁରେଶ ପୋଢ(୬୦) କୋଭିଡ୍ ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ପାଖାପାଖି ଦେଢ ମାସ ହେଲା ଘରକୁ ଫେରିନାହାନ୍ତି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ତାଙ୍କୁ ଅନୁଗୁଳରୁ କଟକ ସ୍ଥାନାନ୍ତର କରାଯାଇଛି। ହେଲେ କଟକ ଡାକ୍ତରଖାନାର ରେଜିଷ୍ଟର୍‌ରେ ତାଙ୍କର ନାଁ ନାହିଁ। ପରିବାର ଲୋକେ ମଧ୍ୟ କଟକର ବିଭିନ୍ନ କୋଭିଡ୍ ଡାକ୍ତରଖାନା ଅଣ୍ଡାଳି ପକାଇଲେଣି । କିନ୍ତୁ କେଉଁଠି ବି କିଛି ଖୋଜ୍ ଖବର ମିଳୁନି । ଏଥିନେଇ ପୁଲିସ ଓ ପ୍ରଶାସନ ପାଖରେ ଫେରାଦ ହେଲେ ମଧ୍ୟ ଫଳ ଶୂନ। ତେଣୁ ପୂରା ଭାଙ୍ଗି ପଡ଼ିଛନ୍ତି ସୁରେଶଙ୍କ ପରିବାର । ମୁଖ୍ୟତଃ ସୁରେଶଙ୍କ ୪ ପୁଅ ଏବେ ବାପାଙ୍କ ଫେରିବା ବାଟକୁ ଚାହିଁ ଚାହିଁ ଆଖିରୁ ଲୁହ ଶୁଖି ଗଲାଣି । ନିଷ୍ଠୁର କରୋନା ତାଙ୍କ ବାପଙ୍କୁ ହଜାଇ ଦେଇଛି । କେବଳ ଯେ ସୁରେଶଙ୍କ ୪ ପୁଅ କି ରାନୀ ନୁହେଁ  ଏହି କରୋନାର କରାଳତାରେ ଅନେକ ସେମାନଙ୍କ ବାପାଙ୍କୁ ହରାଇ ବାପାଙ୍କୁ ଝୁରୁଛନ୍ତି । ସେହିଭଳି ଜିଲ୍ଲା ପ୍ରଶାସନ ସୂଚନା ଅନୁସାରେ କରୋନା କାଳରେ ୩୯ ଜଣ ଶିଶୁ ସେମାନଙ୍କ ଉଭୟ ବାପା ଓ ମାଙ୍କୁ ହରାଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଜଣେ ଶିଶୁଙ୍କ ବାପା-ମାନକ ମୃତ୍ୟୁ କରୋନା ଜନିତ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ଅନ୍ୟ ଶିଶୁଙ୍କ ବାପା-ମାନକ ମୃତ୍ୟୁର କାରଣ ତଦନ୍ତ କରା ଯାଉଛି । 

Advertisement

Leave a Reply

Your email address will not be published. Required fields are marked *

You cannot copy content of this page