ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ ସିପିପି ପ୍ଲାଣ୍ଟକୁ ସଂଯୋଗ କରୁଥିବା ରାସ୍ତା ରେ ଏକ ଚଳନ୍ତା ଗାଡ଼ିରେ ନିଆଁ ଲାଗିଲା ଲାଗି ଗାଡିଟି ସମ୍ପୂର୍ଣ୍ଣ ପୋଡି ଯାଇଥିବା ଜଣା ପଡ଼ିଛି।
ସୂଚନା ଅନୁସାରେ ଆଜି(ଶନିବାର) ଅପରାହ୍ନ ଚାରିଟା ବେଳକୁ ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ଗ୍ରାମର ଶିବାଜି ଗୋଚ୍ଛାୟତ ନାମକ ଜଣେ ଯୁବକ ନାଲକୋ ଅଞ୍ଚଳରୁ ଏକ ଘରୋଇ ଗ୍ୟାସ ଟାଙ୍କି ମୋଟରସାଇକେଲରେ ବାନ୍ଧି ନିଜ ଘରକୁ ନେଉଥିଲେ । ସେ ସିପିପି ରୋଡ ନିକଟରେ ହଠାତ୍ ତାଙ୍କ ମୋଟରସାଇକେଲରୁ ଧୁଆଁ ବାହାରିବା ଜାଣିବାକୁ ପାଇଥିଲେ। ନିଆଁ ଲାଗିବା ପୂର୍ବରୁ ନିଜର ଆକସ୍ମିକ ବୁଦ୍ଧି ଖଟାଇ ଗାଡ଼ିରୁ ଗ୍ୟାସ ସିଲିଣ୍ଡର୍ଟିକୁ ଓହ୍ଲାଇ ଦୂରକୁ ନେଇ ଯାଇଥିଲେ । କିଛି କ୍ଷଣ ମଧ୍ୟରେ ଗାଡ଼ିଟି ହୁ ହୁ ହୋଇ ଜଳି ଉଠିଥିଲା। ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକେ ଭୟରେ ଦୂରକୁ ଚାଲି ଯାଇଥିଲେ। ଖବର ପାଇ ନାଲକୋ ସିପିପି ପ୍ଲାଣ୍ଟ ,ସିଆଇଏସଏଫର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପରେ ଉକ୍ତ ରାସ୍ତା ଦେଇ ଗମନା ଗମନ ସ୍ଵାଭାବିକ ହୋଇଥିଲା।