ଅନୁଗୁଳ – ଗତ ଦୁଇଦିନ ହେଲା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ଏକ ମହାବଳ ବାଘର ପାଦ ଚିହ୍ନ ଠାବ କରାଯାଇଛି । ଯେଉଁଥିପାଇଁ ଅଞ୍ଚଳରେ ଏବେ ଏକ ପ୍ରକାର କୋକୁଆ ଭୟ ଖେଳି ଯାଇଛି । ତେବେ ତିନି ଦିନ ହେଲା ଛେଣ୍ଡିପଦା ଅଞ୍ଚଳର ବିଭିନ୍ନ ସ୍ଥାନରେ ବାଘର କେବଳ ପାଦ ଚିହ୍ନ ମିଳିଥିବା ବେଳେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ବିଭ୍ରାନ୍ତିକର ଭିଡ଼ିଓ ଏବଂ ଫଟୋ ଭାଇରାଲ ହେଉଛି । ଯେଉଁଥିପାଇଁ ଲୋକ ବେଶୀ ଭୟଭୀତ ହେଉଛନ୍ତି ।
ସୂଚନା ଅନୁସାରେ ଗତ ବୁଧବାର ଦିନ ଛେଣ୍ଡିପଦା ବନାଞ୍ଚଳ ପାଟକୁମୁଣ୍ଡା ଏବଂ ଛେଣ୍ଡିପଦା ଖଙ୍ଗୁରିଆ ନାଳ ପାଖରେ ବାଘର ପାଦଚିହ୍ନ ମିଳିଥିଲା । ଯେଉଁଥିପାଇଁ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପାଦ ଚିହ୍ନର ଚିତ୍ର ଉତ୍ତୋଳନ କରିବା ସହ ତଦନ୍ତ କରିଥିଲା । ଏପରିକି ସେବେଠାରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଜାଗ ରହିବା ପାଇଁ ସଚେତନ କରାଇ ଆସୁଛି । ବିଭିନ୍ନ ସ୍ଥାନରେ କ୍ୟାମେରା ଖଞ୍ଜି ବାଘର ଗତିବିଧି ଉପରେ ନଜର ରଖିବାକୁ ଚେଷ୍ଟା ମଧ୍ୟ କରୁଛି । ହେଲେ ଏପର୍ଯ୍ୟନ୍ତ ବାଘର କୌଣସି ଠିକଣା ମିଳି ପାରୁ ନାହିଁ । ଅନ୍ୟପଟେ ଆଜି ପୁଣି ପାଟକୁମୁଣ୍ଡା ପଞ୍ଚାୟତ ଆମ୍ବପାଳ ଗାଁ ନିକଟରେ ବାଘର ପାଦ ଚିହ୍ନ ମିଳିବା ପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଜାଞ୍ଚ କରିଛି ।
ତେବେ ବନ ବିଭାଗକୁ ବାଘର କୌଣସି ଠିକଣା ମିଳୁ ନଥିବା ବେଳେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ବିଭ୍ରାନ୍ତିକର ଭିଡିଓ ଭାଇରାଲ ହେଉଛି । ଯେଉଁଥିପାଇଁ ଲୋକ ବେଶି ଆତଙ୍କିତ ହେଉଛନ୍ତି । ଗତ ଦୁଇ ଦିନ ତଳେ ବ୍ରାହ୍ନଣବିଲ ଅଞ୍ଚଳ ରାସ୍ତା ଉପରେ ବାଘ ବୁଲୁଥିବାର ଏକ ଭିଡିଓ ଏବଂ ଫଟୋ ସାମାନିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଯାହାକୁ ଲୋକ ସହଜରେ ବିଶ୍ୱାସ କରିନେବା ସହ ମୋବାଇଲରୁ ମୋବାଇଲ ଭିଡିଓ ଓ ଫଟୋ ଡେଇଁ ଚାଲିଥିଲା । ତେବେ ଏହି ଭିଡିଓ ତିନି ମାସ ତଳେ ୟୁ ଟ୍ୟୁବରେ ଅପଲୋଡ଼ ହୋଇଥିଲା । ଯାହାକି ମହାରାଷ୍ଟ୍ର ତାଡୋବା ଟାଇଗର ରିଜର୍ଭ ଅଞ୍ଚଳର ବୋଲି ଜଣାପଡିଛି । ରବିବାର ସକାଳୁ ପୁଣି ଏକ ଭିଡିଓ ଭାଇରାଲ ହୋଇଥିଲା । ମୋବାଇଲରୁ ମୋବାଇଲ ଘୁରି ବୁଲୁଥିବା ଏହି ଭିଡ଼ିଓରେ ବାଗ ତିନି ଜଣଙ୍କୁ ମାରି ଦେଇଥିବା ମିଛ ପ୍ରଚାର ହୋଇଥିଲା । ବାଗ ମାରିଥିବା ଏହି ଭିଡିଓ ମଧ୍ୟ ମିଛ ବୋଲି ଜଣା ପଡ଼ିଛି । ବହୁଦିନ ତଳେ ହାତୀ ଆକ୍ରମଣରେ ମୃତ ଘଟଣାର ଭିଡ଼ିଓକୁ ଏବେ ଭାଇରାଲ କରି ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା ଜଣ ପଡିଛି । ଏ ଦିଗରେ ମଧ୍ୟ ବନ ବିଭାଗ ଓ ପ୍ରଶାସନ ଦୃଷ୍ଟି ଦେବା ସହ ଲୋକଙ୍କୁ ସଚେତନ କରିବା ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି ।

