ଅନୁଗୁଳ – ଆଜି ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଚାରି ଜଣଙ୍କ ମୃତ୍ୟୁ ହୋଇଛି । ବଅଁରପାଳରୁ ତାଳଚେର ଯାଇଥିବା ଜାତୀୟ ରାଜପଥ ୧୪୯ ରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପ ଆଗରେ ସ୍କୁଟିକୁ ଏକ ଟ୍ରାଭେଲର ଗାଡି ଧକ୍କା ଦେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଜାତୀୟ ରାଜପଥ ୪୯ ର ପାଲଲହଡା ସୀମାବର୍ତ୍ତି ଗୋଲାବନ୍ଧ ଗାଁ ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ତାଳଚେର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ରାଜେଶ ବେହେରା ନାମକ ଦୁଇଜଣ ବ୍ୟକ୍ତି ଘରୁ ବାହାରି ସ୍କୁଟି ଯୋଗେ ବଅଁରପାଳ ଅଞ୍ଚଳକୁ ଯାଉଥିଲେ । ୧୪୯ ନମ୍ବର ଜାତୀୟ ରାଜପଥ ବଲ୍ହର ଛକ ଠାରୁ ବଅଁରପାଳ ଛକ ମଝିରେ ଥିବା ଜିଓ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରାଭେଲର ଗାଡ଼ି ସେମାନଙ୍କ ସ୍କୁଟିକୁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ପୂର୍ଣ୍ଣଚନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ରାଜେଶ୍ ଙ୍କୁ ଡାକ୍ତରଖାନା ପଠା ଯାଇଥିଲା । ତେବେ ଡାକ୍ତରଖାନା ଯିବା ବାଟରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ବଅଁରପାଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ସେହିଭଳି ଅନୁଗୁଳ ଜିଲ୍ଲା ପାଲଲହଡା ସୀମାବର୍ତ୍ତି ବାରକୋଟ ଥାନା ଗୋଳାବନ୍ଧ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଆଜି(ବୁଧବାର) ରାତି ୯ ଟା ସମୟରେ ଗୋଳାବନ୍ଧ ଗାଁ ନିକଟ ଜାତୀୟ ରାଜପଥ ୪୯ ରେ ଏହି ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳ ରେ ଦୁଇ ମୃତ ହୋଇଥିବାବେଳେ ତିନି ଜଣ ଆହତ ହୋଇଥିବା ଜଣାଯାଇଛି । ଆହତଙ୍କୁ ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି । ମୃତକ ମାନେ ହେଲେ ସଞ୍ଜୟ ପ୍ରଧାନ ଏବଂ ପୀତ୍ତୁଳା ମହାନ୍ତ ବୋଲି ଜଣା ପଡ଼ିଛି ।