ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଠାକୁରଗଡ଼ ଥାନା ଅନ୍ତର୍ଗତ ରଇଡ଼ା ଗ୍ରାମର ରବୀନ୍ଦ୍ର ଭୋଇଙ୍କୁ ଏକ ହତ୍ୟା ଘଟଣା ରେ ଶୁକ୍ରବାର ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରଞ୍ଜନ କୁମାର ସୁତାର ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି ।
ସୂଚନା ଅନୁସାରେ , ଗତ ୨୮ ଫେବୃଆରୀ ୨୦୧୮ ରେ ଅନାମ ପ୍ରଧାନ ଓ ତାଙ୍କ ସ୍ତ୍ରୀ ରତନୀ ପ୍ରଧାନ ଠାକୁରଗଡ଼ ଥାନା ରଇଡ଼ା ଗ୍ରାମର ଝୁମୁକାନାଳୀ ସାହି ରାସ୍ତାରେ ଛିଡା ହୋଇଥିବା ବେଳେ ସେହି ଗ୍ରାମର ରବୀନ୍ଦ୍ର ଭୋଇ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା । ଫଳରେ ଘଟଣା ସ୍ଥଳରେ ରତନୀଙ୍କ ମୃତ୍ୟୁ ହୋଇଥିଲା । ଏହା ସହ ଗୁରୁତର ଅବସ୍ଥାରେ ଅନାମଙ୍କୁ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାକୁ ମଧ୍ୟ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ମୃତ ଅନାମର ସାନଭାଇ ଗଗନ ପ୍ରଧାନ ଗତ ୧ ମାର୍ଚ୍ଚ ୨୦୧୮ ତାରିଖ ଭୋର ୫ ଟା ୪୫ ମିନିଟରେ ଠାକୁରଗଡ଼ ଥାନାରେ ଘଟଣା ସମ୍ପର୍କ ରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ହତ୍ୟାକାରୀ ରବୀନ୍ଦ୍ର ଭୋଇକୁ ଗିରଫ କରିବା ସହ ହତ୍ୟା ଘଟଣାରେ ବ୍ୟବହାର ହୋଇଥିବା ବନ୍ଧୁକ କୁ ଜବତ କରି କୋର୍ଟ ଚାଲାଣ କରିଥିଲା । ଜଙ୍ଗଲରୁ ଶିକାର କରି ଆଣିଥିବା ଏକ ହରିଣ ମାଂସ ର ଭାଗବଣ୍ଟା କୁ ନେଇ ଏହି ହତ୍ୟା ଘଟଣା ଘଟିଥିବା ଜଣା ପଡିଥିଲା । ସମସ୍ତ ସାକ୍ଷ ପ୍ରମାଣକୁ ଆଧାର କରି ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରଞ୍ଜନ କୁମାର ସୁତାର ହତ୍ୟାକାରୀ ରବୀନ୍ଦ୍ରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜୋରିମାନା କରିଥିବା ଜଣାଯାଇଛି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଭାବେ ବରିଷ୍ଠ ଆଇନଜୀବୀ ଅସିତ ରଞ୍ଜନ ଦେଓ ଓ ସରକାରୀ ନିଯୁକ୍ତି ପ୍ରାପ୍ତ ଅତିରିକ୍ତ ପିପି ଗାୟତ୍ରୀ ଦାସ ମାମଲାକୁ ପରିଚାଳନା କରିଥିଲେ ।