ମା ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ସମାପନ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରାତ୍ସୋବ ଓ ୧୮ତମ ଲୋକ ମହୋତ୍ସବ ଗୋପାଳ ପ୍ରସାଦ ସ୍ଥିତ ହିଙ୍ଗୁଳା ପୀଠ ପରିସରରେ ଗତ ୧୫ ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ନବଦିନ ବ୍ୟାପୀ ଅନୁଷ୍ଠିତ ହୋଇ ଥିବା ଏହି ଯାତ୍ରାରେ ପ୍ରତ୍ଯେକ ଦ୍ଦିନ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେଇ ମା ଅଗ୍ନିରୂପାଙ୍କୁ ପୂଜାର୍ଚ୍ଚନା କରିଥିଲେ । ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁଙ୍କ ଅନୁପସ୍ଥିତିରେ ମା’ଙ୍କ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ ଭକ୍ତମାନଙ୍କ ଉପସ୍ଥିତିରେ ମା’ ଅଗ୍ନିରୂପାଙ୍କ ଆରାଧନା କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିବାରୁ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିଲା । ତେଣୁ ମା’ଙ୍କ ପ୍ରତ୍ୟକ୍ଷ ଦର୍ଶନ ପାଇଁ ଉଭାସ୍ଥଳୀକୁ ପ୍ରତ୍ୟୁଷରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ଏହି ଯାତ୍ରାତ୍ସୋବ ବେଳେ ମା’ କରଡେଇ ପୀଠ ଏବଂ ଗୋପାଳ ପ୍ରସାଦ ସିଙ୍ଗଡା ଜୋର ପାଖରେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ମୁଣ୍ଡନ ବ୍ୟବସ୍ଥା କରାଯାଇଥଲା । ପ୍ରଚଣ୍ଡ ରୌଦ୍ର ତାପ ସତ୍ୱେ ମା’ଙ୍କ ଦର୍ଶନ ପାଇଁ ଉଭୟ ଉଭାସ୍ଥଳୀରେ ଏବଂ ପୀଠରେ ଭକ୍ତଙ୍କର ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ପ୍ରଚଣ୍ଡ ଗ୍ରୀଷ୍ମରୁ ଭକ୍ତମାନଙ୍କୁ ସୁରକ୍ଷା ଦେବା ପାଇଁ ଉଭାସ୍ଥଳୀ ଓ ମନ୍ଦିର ଚତୁଃପାର୍ଶ୍ୱକୁ କପଡା ଦ୍ୱାରା ସିଲିଂ କରାଯାଇଥିଲା । ଭକ୍ତମାନେ ମା’ଙ୍କ ପୀଠରେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ଉଭାସ୍ଥଳୀରେ ସ୍ୱତନ୍ତ୍ର ବ୍ୟାରିକେଡ଼ରେ ପୁରୁଷ ଓ ମହିଳାମାନେ ମା’ଙ୍କୁ ଦର୍ଶନ କରିବା ସହ ଅଗ୍ନିରୂପୀଙ୍କୁ ନଡ଼ିଆ, କଦଳୀ, ଗୁଡ଼, ଘିଅ, ଝୋଟ, ସିନ୍ଦୁର, ଚୁଡ଼ି, ଛିଟ, ପୁଷ୍ପ ଆଦି ଭୋଗ ଅର୍ପଣ କରିଥିଲେ । ପୁଲିସ ବିଭାଗ ପକ୍ଷରୁ ଭିଡ଼କୁ ନିୟନ୍ତ୍ରଣ ତଥା ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ୧୨ ପ୍ଲାଟୁନ୍ ଫୋର୍ସ, ୧୦ ଜଣ ଡିଏସପି ଓ ବରିଷ୍ଠ ପୋଲିସ ଅଧିକାରୀ, ୪୦ ଜଣ ଏସଆଇ ଓ ଏଏସଆଇ ସମେତ ହୋମଗାର୍ଡ଼, କନେଷ୍ଟବଳ, ଟ୍ରାଫିକ ପୋଲିସ, ୩ଟି ମୋବାଇଲ ପାଟ୍ରୋଲିଂ ଓ ୨ଟି ବାଇକ୍ ପାଟ୍ରୋଲିଂ ଗାଡ଼ି ମୁତୟନ କରାଯାଇଥିଲା । ଶ୍ରଦ୍ଧାଳୁମାନଙ୍କ ଭିଡ କମାଇବା ପାଇଁ ବିଭିନ୍ନ ଛକ ରାସ୍ତାରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ବେଳେ ଦୁର୍ଘଟଣା ଏଡାଇବା ପାଇଁ ୱାନ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଥିଲା । ତାଳଚେର ଓ କଣିହାଁ ବ୍ଲକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ସଂଘ, ଆଂଚଳିକ ଠିକା ମଜଦୁର ସଂଘ, ତାଳଚେର, ମହାନଦୀ କୋଲଫିଲ୍ଡସ୍ ଠିକାଦାର ସଂଘ, ମା ହିଙ୍ଗୁଳା ଅନ୍ନ ବସ୍ତ୍ର କମିଟି ଆଦି ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ମାଗଣାରେ ଅନ୍ନପ୍ରସାଦ ବିତରଣ କରାଯାଇଥିଲା। ତାହା ସହିତ ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ଦ୍ୱାରା ଥଣ୍ଡା ପାନୀୟ ଜଳ, ଦହି, ସରବତ, ତରଭୁଜ ଆଦି ବଣ୍ଟନ କରାଯାଇଥିଲା । ଅଂଶୁଘାତର ମୁକାବିଲା କରିବା ପାଇଁ ଉଭାସ୍ଥଳୀରେ ଜଳ ସିଞ୍ଚନ , ଅଂଶୁଘାତ ଚିକିତ୍ସା କେନ୍ଦ୍ର, ଆଶୁ ଚିକିତ୍ସା ପାଇଁ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ବିଶ୍ରାମ ଗୃହ ଆଦି ଖୋଲା ଯାଇଥିଲା । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଲୋକ ମହୋତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପ୍ରତିଭାବାନ କଳାକାର ଯୋଗ ଦେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ମା’ ଙ୍କ ଏହି ନବଦିନ ବ୍ୟାପି ଯାତ୍ରାର ଆଜି (ଶନିବାର) ଶିତୁଳା ଯାତ୍ରା ସହ ସମାପନ ହୋଇଥିଲା ।

   

Advertisement

Leave a Reply

Your email address will not be published. Required fields are marked *

You cannot copy content of this page