ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଗତ ରବିବାର ଦିନ ତାଳଚେର ଅଞ୍ଚଳରେ MCL ର ମାନମାନି ସମ୍ପର୍କରେ ବିଷଦଗାର ପ୍ରକାଶ କରିଥିଲେ । ତାଳଚେର ଘଣ୍ଟାପଡା ଓଭରବ୍ରିଜ ଉଦଘାଟନ ବେଳେ ବିଧାୟକ MCL ର ମାନମୁଖୀ କାର୍ଯ୍ୟ ଓ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରୁଥିବା କହିବା ସହ ଭୂତଳ କୋଇଲାଖଣି ଗୁଡିକରେ ବାଲି ସଠିକ ଭାବେ ଭର୍ତ୍ତୀ କରାଯାଉ ନଥିବା ୱେବ ଅଭିଯୋଗ କଲେ MCL ଟାଳଟୁଳ ନୀତି କରୁଥିବା କହିଥିଲେ । ଯେଉଁଥିପାଇଁ ତାଳଚେରକୁ ବିପଦ ମାଡି ଆସୁଛି କହିବା ସହ ଏ ଦିଗରେ MCL ଧ୍ୟାନ ଦେବାକୁ ଦାବୀ କରିଥିଲେ ।

ତେବେ ଲୋକଙ୍କ ହିତ ପାଇଁ ସର୍ବଦା ଛିଡା ହୋଇଥିବା ବିଧାୟକଙ୍କ ଏଭଳି ଅସନ୍ତୋଷ ବ୍ୟକ୍ତର ଚାରି ଦିନ ଭିତରେ ହିଁ ପ୍ରମାଣ ହୋଇ ଯାଇଛି ଯେ MCL ବନ୍ଦ ହୋଇ ପଡ଼ିଥିବା ଭୂତଳ କୋଇଲା ଖଣି ଗୁଡିକରେ ସଠିକ ଭାବରେ ବାଲି ଭର୍ତ୍ତି କରୁ ନାହିଁ । ଫଳ ସ୍ୱରୂପ ତାଳଚେର ହାଣ୍ଡିଧୂଆଁ ପଛ ପାଖ ଜମିରେ ମାଟି ଦବି ୧୦ ଫୁଟ୍ ଓସାରର ଗାତ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ , କିଛି ଲୋକ ଶୌଚ ହେବାକୁ ଯାଇଥିବା ବେଳେ ହଠାତ ମାଟି ଦବିଥିଲା । ମାଟି ଧସି ପ୍ରାୟ ୧୦ ଫୁଟ ଓସାରରେ ଗର୍ତ୍ତ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇ ପଡିଛନ୍ତି । ପୂର୍ବରୁ ହାଣ୍ଡିଧୂଆଁ ତେଲିସାହିରେ ଏଭଳି ଏକ ବିରାଟ ଗାତ ସୃଷ୍ଟି ହୋଇଥିଲା । ତେବେ MCLର ଭୂତଳ କୋଇଲା ଖଣିରେ ସଠିକ ଭାବେ ବାଲି ଭର୍ତ୍ତି କରୁ ନଥିବାରୁ ଏହିଭଳି ଘଟଣା ବାରମ୍ବାର ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, ଏପରି ଘଟଣା ଅଞ୍ଚଳରେ ଚତୁର୍ଥ ଥର । ନିୟମ ଅନୁଯାୟୀ ଭୂତଳ କୋଇଲା ଖଣିରୁ କୋଇଲା ଖନନ ପରେ ବାଲି ଭର୍ତ୍ତି କରିବା କଥା, କିନ୍ତୁ MCL କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି । କେବଳ କାଗଜପତ୍ରରେ ବାଲି ଭର୍ତ୍ତି ହେଉଥିବା ଦର୍ଶାଇଛନ୍ତି । ଏଭଳି ଅଘଟଣ ଖବର ଯେବେ ଆସେ, MCL କେଵଳ ଗତଟିକୁ ବାଲି ଭର୍ତ୍ତି କରି ଚାଲିଯାଉଛନ୍ତି । ତେବେ ଘଟଣା ସ୍ଥଳରେ ହାଣ୍ଡିଧୁଆ ଖଣି କର୍ମଚାରୀ ପହଞ୍ଚି ମାଟି ଦବିଥିବା ସ୍ଥାନରେ ବ୍ୟାରିକେଡ୍ କରିଛନ୍ତି । ଘଟଣା ନେଇ MCL ଏରିଆ ଖଣି ସୁରକ୍ଷା ଅଧିକାରୀ ଦେବଦାସ ପଣ୍ଡା କହିଛନ୍ତି,”ଘଟଣାର ନିରୀକ୍ଷଣ କରାଯାଉଛି । କେଉଁ କାରଣ ପାଇଁ ଏପରି ହୋଇଛି, ତାର ତର୍ଜମା କରାଯିବ । MCL ପୂର୍ବରୁ ଯେଉଁ ସ୍ଥାନରେ ବାଲି ଭର୍ତ୍ତି କରୁଥିଲା, ତାହା ଜାମ ହୋଇ ଯାଇଛି । ଅନ୍ୟ ସ୍ଥାନରୁ ଭର୍ତ୍ତି ପାଇଁ ପ୍ଲାନ ହୋଇଛି, ଖୁବ ଶୀଘ୍ର କରାଯିବ ।”
ତାଳଚେର ଅଂଚଳରେ ୩ ଟି ଭୂତଳ କୋଇଲା ଖଣି ରହିଛି । ସେଗୁଡିକ ହେଲା ଡେରା, ହାଣ୍ଡିଧୂଆଁ ଓ ନନ୍ଦିରା । ଏଗୁଡ଼ିକ ମଧ୍ୟରୁ ନନ୍ଦିରା କାର୍ଯ୍ୟକ୍ଷମ ଥିବାବେଳେ ବାକି ଗୁଡ଼ିକ ବନ୍ଦ ରହିଛି । ଏଭଳି ମାଟି ଦାବିବା ଘଟଣା ବାରମ୍ବାର ଘଟୁଥିଲେ ବି କର୍ତ୍ତୃପକ୍ଷ ଓ ପ୍ରଶାସନିକ ସ୍ତରରେ ଏହାକୁ ନଜର ଅନ୍ଦାଜ କରିଦିଆଯାଇଛି । ଯାହାର ପରିଣାମ ଭୟାନକ ହୋଇପାରେ ।

