ଅନୁଗୁଳ – ଗତ ୧୮ ତାରିଖରେ ଅନୁଗୁଳ ସଦର ଥାନା ଖଲାରୀ ଗାଁର ଏକ ଭଡା ଘରେ ଜଣେ ବୃଦ୍ଧା ମହିଳାଙ୍କ ବିଭତ୍ସ ହତ୍ୟା ହୋଇଥିଲା । ଏହି ହତ୍ୟାକାଣ୍ଡରେ ମହିଳାଙ୍କ ବୋହୁ ଓ ସମୁଦୁଣୀକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ ରାସୋଳ ଥାନା ତେଲୁଭୁଇଁ ଗାଁର କାନ୍ହୁ ନାୟକ ନାମକ ଜଣେ ଯୁବକ ଅନୁଗୁଳ କଲେଜ ଛକରେ ଫଳ ଦୋକାନ ଦେଇଛନ୍ତି । ସେ ଗତ ୮ ମାସ ତଳେ ଅଙ୍ଗାରବନ୍ଧ ଗାଁର ସରିତା ସାହୁଙ୍କୁ ବିବାହ କରିବା ପରେ ଖଲାରୀ ଗାଁର ଏକ ଭଡା ଘରେ ମା କୁନି ନାୟକ ଓ ସ୍ତ୍ରୀଙ୍କୁ ନେଇ ରହୁଥିଲେ । ତେବେ ବିବାହ ପରଠାରୁ ଶାଶୁ ଓ ବୋହୁଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ନଥିଲା । ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥାଏ । ୧୮ ତାରିଖ ଦିନ କାହ୍ନୁଙ୍କ ଶାଶୁ ଜୟନ୍ତୀ ସାହୁ ଘରକୁ ଆସି ଥିଲେ । କାହ୍ନୁ ରାତିରେ ଘରକୁ ଫେରିଲା ବେଳକୁ ଶାଶୁ ଫେରି ଯାଇଥିବା ବେଳେ ମା କୁନି ଶୋଇ ସାରିଥିବା କାହ୍ନୁଙ୍କ ସ୍ତ୍ରୀ ସରିତା କହିଥିଲେ । ତେବେ ମାଙ୍କୁ ଖାଇବାକୁ କାହ୍ନୁ ଡାକିବା ବେଳେ ନ ଶୁଣିବାରୁ ମା ଘୋଡାଇ ହୋଇଥିବା ଚଦର ଉଠାଇବା ପରେ ମାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖି ସେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲା ।
କାହ୍ନୁଙ୍କ ଅଭିଯୋଗ ଆଧାରରେ ପୁଲିସ କାହ୍ନୁଙ୍କ ସ୍ତ୍ରୀ ସରିତା ଓ ଶାଶୁ ଜୟନ୍ତୀଙ୍କ ମଧ୍ୟ ଅଟକ ରଖି ପଚରାଉଚରା କରିଥିଲା । ତଦନ୍ତ ଓ ପଚରାଉଚରା ପରେ ଉଭୟ ମା ଓ ଝିଅ ମିଶି କୁନିଙ୍କୁ ହତ୍ୟା କରିଥିବା ପୁଲିସ ଜାଣିବାକୁ ପାଇଥିଲା । ଉଭୟ ମା ଓ ଝିଅ ପ୍ରଥମେ କୁନିଙ୍କୁ ନିଶା ଔଷଧ ଖୁଆଇ ଶୁଆଇ ଦେବା ପରେ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ । ଏଥିପାଇଁ ପୁଲିସ ଉଭୟଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ।


