ସାବିତ୍ରୀ ସାହୁ ହତ୍ୟାକାଣ୍ଡରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଦାବିରେ ଏସ୍‌.ପି ଅଫିସ ଘେରାଉ

ଅନୁଗୁଳ – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ଖାଲପାଳ ଗ୍ରାମର ସାବିତ୍ରୀ ସାହୁ ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ଓ ଅନ୍ୟାନ୍ୟ ଦାବିରେ ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ (ଏ.ଆଇ.ଏମ୍‌.ଏସ୍‌.ଏସ୍‌) କଣିହାଁ ବ୍ଲକ କମିଟି ନେତୃତ୍ୱରେ ଶୁକ୍ରବାର ଦିନ ଅନୁଗୁଳ ଏସ୍‌.ପି ଅଫିସ ଘେରାଉ କରାଯାଇଛି । ଖାଲପାଳ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଅନୁଗୁଳ ଷ୍ଟାଡିୟମ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ଏସ୍‌.ପି ଅଫିସରେ ପହଞ୍ଚି ଏହି ଘେରାଓ କରିଥିଲେ । ସଂଗଠନର ଜିଲ୍ଲା ସଭାନେତ୍ରୀ ମନ୍ଦୋଦରୀ ରାଉଳଙ୍କ ସଭାପତିତ୍ୱରେ ଏହି ଆନ୍ଦୋଳନରେ ଏସ୍‌.ୟୁ.ସି.ଆଇ (କମ୍ୟୁନିଷ୍ଟ) ଜିଲ୍ଲା କମିଟିର ବରିଷ୍ଟ ସଭ୍ୟ ନବ କିଶୋର ପ୍ରଧାନ ଯୋଗ ଦେଇ କଣିହାଁ, ରେଙ୍ଗାଳି, ଏନଟିପିସି ଥାନା ପୋଲିସ ଓ ପାଲଲହଡା ଏସଡିପିଓ ପକ୍ଷରୁ ସଂଗଠନର ଜିଲ୍ଲା ସଂପାଦିକା ମାନସୀ ସ୍ୱାଇଁ, ଏସ୍‌.ୟୁ.ସି.ଆଇ (କମ୍ୟୁନିଷ୍ଟ) କଣିହାଁ ଆଞ୍ଚଳିକ କମିଟି ସଂପାଦକ ପ୍ରହ୍ଲାଦ ଚନ୍ଦ୍ର ସାହୁ, ଗଦାଶିଳା ସରପଞ୍ଚ ଜେମାମଣି ନାଏକଙ୍କୁ କଣିହାଁରୁ ଅନୁଗୁଳ ଯିବା ରାସ୍ତାରେ ଦଣ୍ଡସିଂହା ଏନ.ଟି.ପି.ସି ଲେବୁଲ କ୍ରସିଙ୍ଗ ଠାରେ ଅଟକାଇ ଆନ୍ଦୋଳନକୁ ଦମନ କରିବା ଚକ୍ରାନ୍ତକୁ ଘୋର ନିନ୍ଦା କରିଥିଲେ । ସାବିତ୍ରୀ ସାହୁ ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ଅବିଳମ୍ବେ ଗିରଫ କରିବା ସହିତ କଣିହାଁ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ଚୋରୀ, ରାହାଜାନୀ, ହତ୍ୟା, ମଦ ଓ ମାଦକ ଦ୍ରବ୍ୟର ଅବାଧ କାରବାର ଭଳି ଅପରାଧମୂଳକ ଘଟଣାକୁ ରୋକିବା ଏବଂ ଛାତୀ ଓ ମହିଳାମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବା, ମଦ-ମାଦକ ଦ୍ରବ୍ୟ, ଅଶ୍ଳୀଳତା, ଅପସଂସ୍କୃତିର ପ୍ରଚାର ପ୍ରସାର ବନ୍ଦ କରିବା ଆଦି ଦାବି ନେଇ ସଂଗଠନ ପକ୍ଷରୁ ଆଜିର ଏହି ଘେରାଉ ଆନ୍ଦୋଳନ କରାଯାଇଥିଲା । ସୂଚନା ଅନୁସାରେ ଗତ ତା ୩୦/୧୦/୨୦୨୧ ରିଖ ଶନିବାର ବିଳମ୍ବିତ ରାତିରେ ସାବିତ୍ରୀ ସାହୁଙ୍କ ସ୍ୱାମୀ ଶ୍ରୀ ଅର୍ଜୁନ ସାହୁ ନିଜ ଘରେ ଅନୁପସ୍ଥିତ ଥିବାବେଳେ ଅଭିଯୁକ୍ତକାରୀମାନେ ଯୋଜନାବଦ୍ଧ ଭାବେ ସାବିତ୍ରୀ ସାହୁଙ୍କୁ ନିର୍ମମ ଭାବେ ହତ୍ୟା କରି ଦଉଡିରେ ଝୁଲାଇ ଆତ୍ମହତ୍ୟାର ରୂପ ଦେଇଥିଲେ । ଅଭିଯୁକ୍ତକାରୀମାନଙ୍କୁ ପୁଲିସ ଗିରଫ ନ କରିବାରୁ ଗତ ନଭେମ୍ବର ୬ ତାରିଖରେ ସଂଗଠନ ପକ୍ଷରୁ ରେଙ୍ଗାଳି ଥାନା ଘେରାଉ କରାଯାଇଥିଲା । ଫଳରେ ପୋଲିସ ତିନିଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିନ୍ତୁ ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମୃତ ସାବିତ୍ରୀ ସାହୁଙ୍କର ବଡ ଯାଆ ଲକ୍ଷ୍ମୀ ସାହୁଙ୍କ ଭାଇ ଶୁଆଝରୀ ଗ୍ରାମର ଜୟ ପ୍ରଧାନଙ୍କ ପୁତ୍ର କାର୍ତ୍ତିକା ପ୍ରଧାନଙ୍କୁ ଆଜି ପର୍ଯ୍ୟନ୍ତ ଗିରଫ କରାଯାଇ ନ ଥିବାରୁ ସଂଗଠନର ଜିଲ୍ଲା ଉପ ସଭାପତି ସରୋଜିନୀ ନାୟକ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ଅବିଳମ୍ବେ ଗିରଫ କରିବାକୁ ଦାବି କରିଥିଲେ ।

 

Advertisement

Leave a Reply

Your email address will not be published. Required fields are marked *

You cannot copy content of this page