କାର ଦୁର୍ଘଟଣାରେ ପ୍ରତ୍ନତତ୍ତ୍ଵ ବିଭାଗର ସୂପରିନଟେଣ୍ଡ ଗୁରୁତର , ମହାବିଦ୍ୟାଳୟ ପ୍ରତିଷ୍ଠାତା ମୃତ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଚାରବାଟି ଛକ ନିକଟରେ ପ୍ରତ୍ନତତ୍ତ୍ଵ ବିଭାଗର ସୂପରିନଟେଣ୍ଡଙ୍କର କାର ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ସୂପରିନଟେଣ୍ଡଙ୍କ ବାପା ତଥା ପଳସମା ମହାବିଦ୍ୟାଳୟର ପ୍ରତିଷ୍ଠାତା କୁମୁଦ ବନ୍ଧୁ ଗଡ଼ନାୟକ (୭୫)ଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରତ୍ନତତ୍ତ୍ଵ ବିଭାଗର ସୂପରିନଟେଣ୍ଡ ଡିବିଶାଦ ବ୍ରଜସୁନ୍ଦର ଗଡ଼ନାୟକ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ପ୍ରତ୍ନତତ୍ତ୍ଵ ବିଭାଗର ସୂପରିନଟେଣ୍ଡ ଡିବିଶାଦ ବ୍ରଜସୁନ୍ଦର ଗଡ଼ନାୟକ ଆଜି ସମ୍ବଲପୁର ଜିଲ୍ଲା ନାକିଟିଦେଉଳ ଅଞ୍ଚଳରୁ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ କାର୍ଯ୍ୟ ସାରି ବାପାଙ୍କ ଦେହ ଖରାପ ଶୁଣି ନିଜ କୁଣ୍ଢେଈଗୋଳା ଥାନା ପଳସମା ଗାଁ ଯାଇଥିଲେ । ସେଠାରୁ ସେ ତାଙ୍କର ନିଜସ୍ୱ କାରରେ ବାପାଙ୍କୁ ଚିକିତ୍ସା ପାଇଁ କଟକ ନେଇ ଯାଉଥିବା ବେଳେ ଛେଣ୍ଡିପଦା ଥାନା ଚାରବାଟିଆ ଛକ ନିକଟରେ କାରଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲେ । ଫଳରେ ପ୍ରତ୍ନତତ୍ତ୍ଵ ବିଭାଗର ସୂପରିନଟେଣ୍ଡ ଡିବିଶାଦ ବ୍ରଜସୁନ୍ଦର ଗଡ଼ନାୟକ ଓ ତାଙ୍କ ବାପା କୁମୁଦ ବନ୍ଧୁ ଗଡ଼ନାୟକ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ପରେ ଉଭୟ କାରରୁ ବାହାରକୁ ବାହାରିଥିଲେ । ଏହାର କିଛି ସମୟ ପରେ ହଠାତ କୁମୁଦ ବନ୍ଧୁ ଅଚେତ ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଦ୍ୱୟଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ କୁମୁଦ ବନ୍ଧୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଡିବିଶାଦଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ତେବେ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ଛେଣ୍ଡିପଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଓ ମୃତ ଦେହକୁ ଜବତ କରି ଘଟଣାର ଛନଭିନ ଚଳାଇଛି । କୁମୁଦ ବନ୍ଧୁ ଗଡ଼ନାୟକ ଜଣେ ଅବସର ପ୍ରାପ୍ତ ଶିକ୍ଷକ ହୋଇଥିବା ବେଳେ ପଳସମା ମହାବିଦ୍ୟାଳୟର ପ୍ରତିଷ୍ଠାତା । ତାଙ୍କର ମୃତ୍ୟୁ ଖବର ପାଇ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଁଚି ତାଙ୍କର ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ ଶ୍ରୀ ଗଡ଼ନାୟକଙ୍କ ମୃତ୍ୟରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Advertise

Advertisement

Leave a Reply

Your email address will not be published. Required fields are marked *

You cannot copy content of this page