ଛେଣ୍ଡିପଦା -ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଏକ କୋଇଲା ଖଣି ଭିତରୁ ବ୍ୟାଟେରୀ ଚୋରୀ କରିଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ମାନେ ହେଲେ କରଡ଼ାବାହାଳ ଗାଁର ଭବାନୀ ଶଙ୍କର ନାଏକ, ଧର୍ମେନ୍ଦ୍ର ନାଏକ, ଲାଲମୋହନ ଦେହୁରୀ ।

ସୂଚନା ଅନୁସାରେ , ଛେଣ୍ଡିପଦାରେ ଥିବା ନୟନୀ କୋଇଲା ଖଣିରୁ ଗତ କାଲି ବିଳମ୍ବିତ ରାତିରେ ପ୍ରକଳ୍ପ ପରିସରର ଡମ୍ପର ଅଞ୍ଚଳରେ ଥିବା ସ୍କାନିଆ ଡ଼ମ୍ପିଂରୁ ୮ ଟି ବ୍ୟାଟେରୀ ଚୋରି ହୋଇଥିଲା । ଏନେଇ ନୟନୀ କୋଇଲା ଖଣି କତୃପକ୍ଷ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଥାନାରେ ଏକ ମାମଲା ରୁଜୁ କରିବା ସହିତ ବାଲିନାଳି ଜଙ୍ଗଲରୁ ଚୋରୀ କରିଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରିବା ପରେ କରଡାବାହାଳ ଜଙ୍ଗଲରେ ଲୁଚାଇ ରଖିଥିବା ୮ ଟି ବ୍ୟାଟେରୀକୁ ପୁଲିସ ଉଦ୍ଧାର କରିଥିଲା । ଚୋରୀ ହୋଇଥିବା ବ୍ୟାଟେରୀ ଉଦ୍ଧାର ପରେ ପୋଲିସ ଗିରଫ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି ।