ଜଣେ ମହିଳା ସମେତ ୩ ଲୁଟେରା ଗିରଫ – ଏକ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଗିଫ୍ଟ କାର୍ଡ କରିଥିଲେ ଲୁଟ

ତାଳଚେର – ତାଳଚେର ଗୋପାଳପ୍ରସାଦ ଥାନା କୁମୁଣ୍ଡା- କୋଶଳା ଜଙ୍ଗଲ ରାସ୍ତାରେ ଗତ ୨୬ ତାରିଖ ଦିନ ଅନନ୍ତ କୋଇଲା ଖଣିର ଭିପିଆର କମ୍ପାନୀର ଗିଫ୍ଟ କାର୍ଡ ୧ ‌କୋଟି ୮୦ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଆଜି ଜଣେ ମହିଳା ସମେତ ୩ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ଠାରୁ ଗିଫ୍ଟ କାର୍ଡ ଜବତ କରାଯାଇଥିବା ଜଣା ପଡ଼ିଛି । ତାଙ୍କ ନିକଟରୁ ୬ ଲକ୍ଷ ୪୭ହଜାର ଟଙ୍କା ସହ ୩୦୫ ଗ୍ରାମ ସୁନା ମଧ୍ୟ ଜବତ କରାଯାଇଛି । ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତିନି ଜଣ ଫେରାର ଥିବା ଜଣାପଡିଛି ।ଏ ନେଇ ଆଜି ତାଳଚେର ଥାନାରେ ଏକ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଅନୁଗୁଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ

ସୂଚନା ଅନୁସାରେ, ଭିପିଆର କମ୍ପାନୀର ପରିଚାଳକ ବି. ବିନୋଦ କୁମାର ତାଳଚେର ଅନନ୍ତ କୋଇଲା ଖଣିରୁ ଛେଣ୍ଡିପଦା ଅଞ୍ଚଳରେ ଥିବା ଭିପିଆର କମ୍ପାନୀର କର୍ମଚାରୀଙ୍କ ପାଇଁ ଗିଫ୍ଟ କାର୍ଡ ନେଇ ଯାଉଥିଲେ । ତେବେ କୁମୁଣ୍ଡା- କୋଶଳା ଜଙ୍ଗଲ ମଧ୍ୟ ରାସ୍ତାରେ ଏକ ନମ୍ବର ବିହିନ ସ୍କର୍ପିଓ ଗାଡ଼ିରେ ୪ ଜଣ ଦୁର୍ବୃତ୍ତ ଆସି ଭିପିଆର କମ୍ପାନୀର କାରକୁ ଅଟକାଇ ତାଙ୍କୁ ଭୟଭିତ କରାଇ ଥିଲେ । ପରେ ଦୁର୍ବୃତ୍ତମାନେ ଭିପିଆର କମ୍ପାନୀର ପରିଚାଳକ ଶ୍ରୀ କୁମାରଙ୍କ ଠାରୁ ୧ କୋଟି ୮୦ ଲକ୍ଷ ଟଙ୍କାର ଗିଫ୍ଟ କାର୍ଡ ଲୁଟି ନେଇ କୋଶଳା ଜଙ୍ଗଲ ଆଡ଼କୁ ଚାଲି ଯାଇଥିଲେ । ଏ ନେଇ ସେହିଦିନ ରାତିରେ ଭିପିଆର କମ୍ପାନୀର ପରିଚାଳକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଉକ୍ତ ଘଟଣାର ଛାନଭିନ ଜାରି ରଖିଥିଲା । ଏହି ଲୁଟରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ପୁଲିସ୍‌ ଗିରଫ କରିଥିବା ବେଳେ ଏବେ ମଧ୍ୟ ତିନି ଜଣ ଫେରାର ଥିବା ଜଣା ପଡ଼ିଛି । ଗିରଫଙ୍କ ମଧ୍ୟରେ ଲୁଟ୍ ର ମାଷ୍ଟର ମାଇଣ୍ଡ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ରାଜଗଡ଼ ଗ୍ରାମର ମହେନ୍ଦ୍ର କୁମାର ରାଉତ ନିଜେ ଭିପିଆର କମ୍ପାନୀର ପ୍ରକଳ୍ପ ଅଧିକାରୀ ଭାବେ ରହି ଏହି ଲୁଟ ପାଇଁ ଯୋଜନା କରିବା ସହିତ ତାଳଚେର କୋଲିୟାରୀ ଥାନା ଚାଳଗଡ଼ ଅଞ୍ଚଳର ମାମି ଓରଫ ମାମିନା ଦାସଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେଇ ଯୋଜନାରେ ସାମିଲ କରିଥିଲେ । ପରେ ଉକ୍ତ ମହିଳା ଜଣକ ଲୁଟ ପାଇଁ ଜାଲ ବିଛାଇ ଆଉ ତିନି ଜଣଙ୍କୁ ସାମିଲ କରି ଲୁଟ ପାଇଁ ଷଡ଼ଯନ୍ତ୍ର ରଚିଥିଲେ । ସେହିପରି ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ କାମାକ୍ଷାନଗର ଥାନା କୁରୁଶିଆ ଗ୍ରାମର ବୁବୁ ଓରଫ ସାନ୍ତନୁ ଭୂଷଣ ସ୍ବାଇଁଙ୍କୁ ଗୋପାଳପ୍ରସାଦ ଥାନା ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଅନୁଗୁଳ ଏସ୍.ପି. ରାହୁଲ ଜୈନ ସୂଚନା ଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *