ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ପୁଲିସକୁ ନିର୍ଧୁମ ମାଡ ମାରିବା ଘଟଣାରେ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ଦ୍ୱୟ ହେଲେ ମେଟା କମ୍ପାନୀର ସୁପରଭାଇଜର ଭାବେ କାମ କରୁଥିବା ଅନୁଗୁଳ ଥାନା ତୁରଙ୍ଗ ଗାଁର ଅମ୍ଳାନ ବିପ୍ଳବ ସ୍ବଦେଶ ମହାନ ଏବଂ ମେସିନ ଅପରେଟର ଭାବେ କାମ କରୁଥିବା ଝାଡଖଣ୍ଡ ରାଜ୍ୟର ସୁଦର୍ଶନ କୁମାର ଗୋପ ।
ସୂଚନା ଅନୁସାରେ ,ଜରପଡା ଷ୍ଟେସନରେ ଟ୍ରେନ ମାଧ୍ୟମରେ ଘରୋଇ କୋଇଲା ପରିବହନକୁ ନେଇ ମେଟା ଓ ୟିସୁଜା କମ୍ପାନୀ ମଧ୍ୟରେ ଦୀର୍ଘ ଦିନ ହେଲା ଜମି ବିବାଦ ଲାଗିରହିଛି । କିଛିଦିନ ତଳେ କୋଇଲା ପରିବହନ ରାସ୍ତା କାମକୁ ନେଇ ଉଭୟ ୟିସୁଜା ଓ ମେଟା କମ୍ପାନୀର କର୍ମଚାରୀଙ୍କ ମଧ୍ୟରେ ଝଗଡା ହେବା ସହିତ ଘଟଣା ଥାନା ପର୍ଯ୍ୟନ୍ତ ଯାଇଥିଲା । ଜମି ଚିହ୍ନଟ ପରେ କାର୍ଯ୍ୟ କରିବା ପାଇଁ ପୁଲିସ ସେମାନଙ୍କୁ କହିବା ସହିତ କାମକୁ ବନ୍ଦ କରିଦେଇଥିଲେ । କିନ୍ତୁ ଗତ କାଲି ଅପରାହ୍ନରେ ଜରପଡା ଥାନାର ଏସଆଇ ଲଳିତ ମୋହନ ବିଶ୍ୱାଳ ଓ କନେଷ୍ଟବଲ ରମାକାନ୍ତ ମାଝୀ ସେଠାରେ କାମ ହେଉଥିବା ଖବର ପାଇ ଘଟଣା ସମ୍ପର୍କରେ ବୁଝିବାକୁ ଯାଇଥିଲେ । ସେହି ସମୟରେ ମେଟା କମ୍ପାନୀର ସୁପରଭାଇଜର ଅମ୍ଲାନ ଓ ମେସିନ ଅପରେଟର ସୁଦର୍ଶନଙ୍କ ସହିତ ୫ ରୁ ୬ ଜଣ ଯୁବକ ଉଭୟ ପୁଲିସଙ୍କୁ ମାଡ଼ ମାରିଥିଲେ । ଫଳରେ ଏସଆଇ ଲଳିତ ମୋହନ ବିଶ୍ୱାଳ ଆହତ ହୋଇଥିବା ବେଳେ କନେଷ୍ଟବଲ ରମାକାନ୍ତ ମାଝୀ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଜରପଡା ଥାନାରେ ୪୩୭/୨୫ରେ ଏକ ମାମଲା ରୁଜୁ କରାଯିବା ସହିତ ଏହି ଘଟଣାରେ ଅମ୍ଲାନ ଓ ସୁଦର୍ଶନଙ୍କୁ ପୁଲିସ ଗିରଫ କରିବା ସହିତ ଏକ ପୋକଲିନ ମେସିନକୁ ଜବତ କରିଛି । ଏହି ଘଟଣାରେ ଆହୁରି ପାୟ ୯ ଜଣରୁ ଉର୍ଦ୍ଧ୍ବଙ୍କ ନାମ ଥିବା ବେଳେ ଖୁବ ଶୀଘ୍ର ଅନ୍ୟ ମାନଙ୍କୁ ଗିରଫ କରାଯିବ ବୋଲି ଅନୁଗୁଳ ଏସ୍ଡ଼ିପିଓ ରମାକାନ୍ତ ମାହାଳିକ ପ୍ରକାଶ କରିଛନ୍ତି ।

