ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଓ ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ସୀମାନ୍ତ ଜୋରଡ଼ଙ୍ଗା ଗାଁ ନିକଟରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ଦୁଇ ଜଣ ହେଲେ ଚେରୁ ଦେହୁରୀ ଓ ରଜନୀ ବେହେରା । ଉଭୟଙ୍କ ଘର ଛେଣ୍ଡିପଦା ବ୍ଲକ ସିନ୍ଦୁରପାଳ ଗାଁରେ ହୋଇଥିବା ବେଳେ ଗତ କିଛି ବର୍ଷ ହେଲା ଗାଁରୁ ଉଠିଯାଇ ଜୋରାଦଙ୍ଗା ଗାଁରେ ବସବାସ କରୁଥିଲେ ।
ସୂଚନା ଅନୁସାରେ ଉଭୟ ସକାଳେ ଗାଁ ମୁଣ୍ଡକୁ ଶୌଚ ହେବା ପାଇଁ ଯାଇଥିଲେ । ତେବେ ଗାଁ ମୁଣ୍ଡରେ ହାତୀ ଥିବା କଥା ସେମାନେ ଜାଣି ନଥିଲେ । ହାତୀ ପ୍ରଥମେ ଚେରୁ ଦେହୁରୀଙ୍କୁ ଆକ୍ରମଣ କରିଥିଲା । ସେଠାରୁ କିଛି ଦୂରରେ ପୁଣି ରାଜନୀଙ୍କୁ ଆକ୍ରମଣ କରିଥିଲା । ଚେରୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ରାଜନୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଛେଣ୍ଡିପଦା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

