ଅନୁଗୁଳ – ତାଳଚେର ଲିଙ୍ଗରାଯୋଡ଼ି ଦୁଇ ମୃତଦେହ ଉଦ୍ଧାର ଘଟଣା । ଘଟଣାର ଭିନ୍ନ ମୋଡ଼ ନେବା ସହ ଘଟଣାର ପର୍ଦାଫାଶ କରିଛି ପୁଲିସ । ଚୋରି କରିବାକୁ ଆସିଥିବା ବେଳେ ସୁରକ୍ଷାକର୍ମୀ ଗୁଳି ମାଡରେ ଉଭୟଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି । ଘଟଣାରେ ପୁଲିସ ପ୍ରଦୀପ ସିକ୍ୟୁରୀଟି ନାମକ ସଂସ୍ଥାର ୫ ସୁରକ୍ଷାକର୍ମୀ ଗିରଫ କରିଛି ।

ସୂଚନା ଅନୁସାରେ ଗତକାଲି ତାଳଚେର ଲିଙ୍ଗରାଯୋଡି ଗାଁ କେନାଲ ରାସ୍ତାର ଉଭୟ ପାର୍ଶ୍ଵରେ ଦୁଇ ଜଣଙ୍କ ମୃତଦେହ ମିଳିଥିଲା । ମୃତକ ଦୁଇଜଣ ଲିଙ୍ଗରାଯୋଡି ଗାଁର ଦିବ୍ୟ ରଞ୍ଜନ ପରିଡା ଓ ଜନାର୍ଦନ ନାୟକ ହୋଇଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ୨୪ ଘଣ୍ଟା ଭିତରେ ଘଟଣାର ପର୍ଦାଫାଶ କରିଛି । ପୁଲିସ କହିବା ଅନୁଯାୟୀ ସେହି ନିକଟରେ NTPC ରୁ ଏକ ହେଭି ପାୱାର ଲାଇନ ଯାଉଥିବା ବେଳେ ଗ୍ରୋତମ ଇନଫ୍ରାଷ୍ଟ୍ରକଚର ଲିମିଟେଡ଼ ନାମକ ଏକ ସଂସ୍ଥା ଟାୱାର ଲାଇନ କାମ କରୁଛି । ସେଠରେ ସେହି କମ୍ପାନୀର କଂଷ୍ଟ୍ରକସନ ଡିପୋ ରହିଛି ।
ସେହି ଡିପୋ ଭିତରୁ ଚୋରି କରିବା ପାଇଁ ଗତକାଲି ରାତିରେ ୧୦-୧୨ ଜଣ ଲୋକ ପଶିବାକୁ ଉଦ୍ୟମ କରିଥିଲେ । ଏହା ଦେଖି ସେଠାରେ ଥିବା ସୁରକ୍ଷାକର୍ମୀ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ସେହି ଗୁଳି ବାଜି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଫେରାର ହୋଇ ଯାଇଥିଲେ । ସୁରକ୍ଷାକର୍ମୀ ମାନେ ବ୍ଲାଙ୍କ ଫାୟାର ନକରି ସିଧା ଲୋକଙ୍କ ଉପରକୁ ଗୁଳି ଚଳାଇଥିବାରୁ ହତ୍ୟା ଅଭିଯୋଗରେ ସେଠାରେ କାମ କରୁଥିବା ପ୍ରଦୀପ ସିକ୍ୟୁରୀଟି ସଂସ୍ଥାର ୫ ଜଣ ସୁରକ୍ଷାକର୍ମୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ୫ ଜଣଙ୍କ ମଧ୍ୟରେ ୩ ଜଣ ହେଲେ ଗଣେଶ୍ୱର ସାହୁ ,ଅଭିମନ୍ୟୁ ସାହୁ , ପର୍ଶୁରାମ ପରିଡା ହୋଇଥିବା ବେଳେ ଅନ୍ୟ ଦୁଇଜଣ ବିହାର ଅଂଚଳର କିଶନ ମାଁଝି ଓ ଅନାଦି ମାଁଝି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଏସ ପି ରାହୁଲ ଜୈନ ସୂଚନା ଦେଇଛନ୍ତି ।


