ଅନୁଗୁଳ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିନିକିଆ ଅନୁଗୁଳ ଗସ୍ତରେ ଆସିଥିବା ବେଳେ ଅନୁଗୁଳ ମ୍ୟୁନିସପାଲିଟି ଛକଠାରେ ଆୟୋଜିତ ‘ସ୍ୱଚ୍ଛ, ସୁନ୍ଦର ଓ ସବୁଜ ଅନୁଗୋଳ’ କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଶକୁ ସ୍ୱଚ୍ଛ ରଖିବାର ମହତ ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ ସେ ଅନୁଗୁଳ ପୌର ପରିଷଦ ଅନ୍ତର୍ଗତ ପ୍ରାୟ ୨୭.୬୩ କୋଟି ଟଙ୍କାର ୩୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । କେନ୍ଦ୍ର ସରକାରଙ୍କ “ସ୍ୱଚ୍ଛ ସର୍ବେକ୍ଷଣ – ମୋ ସହର, ମୋ ପରିଚୟ ୨୦୨୫-୨୬” କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ଶ୍ରୀ ପ୍ରଧାନ ଜିଲ୍ଲା ପ୍ରଶାସନକୁ ଏକ ସ୍ୱତନ୍ତ୍ର ଖସଡା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଅନୁଗୁଳ ମ୍ୟୁନିସପାଲିଟିରେ କାର୍ଯ୍ୟରତ ସଫେଇ କର୍ମଚାରୀମାନଙ୍କୁ ମୋବାଇଲ୍ ଫୋନ୍ ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପରେ ଶ୍ରୀ ପ୍ରଧାନ ନିକଟସ୍ଥ ବଜାରପଡ଼ା ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ପଢୁଥିବା ପିଲାମାନଙ୍କ ଗହଣରେ କିଛି ସମୟ ଅତିବାହିତ କରିବା ସହ ସେମାନଙ୍କୁ ଫଳ ବିତରଣ କରିଥିଲେ ।

ପରେ ଅନୁଗୁଳ ଠାରେ ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘ (ବିଦ୍ୟାଳୟ ଶିକ୍ଷା), ଓଡ଼ିଶା ପ୍ରାନ୍ତର ବାର୍ଷିକ ରାଜ୍ୟ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ କେବଳ ଏକ ଶିକ୍ଷକ ସଂଗଠନ ନୁହେଁ, ବରଂ ଏହା ଏକ ମହାନ ବିଚାରଧାରା । ଶିକ୍ଷକମାନଙ୍କର ଏକ ସମ୍ମାନଜନକ ଜୀବନ ବଞ୍ଚିବାର ସମ୍ପୂର୍ଣ୍ଣ ଅଧିକାର ରହିଛି । ଏହି ‘ସମ୍ମାନ’ କେବଳ ସେମାନଙ୍କର ଜୀବିକା ମଧ୍ୟରେ ସୀମିତ ନୁହେଁ, ବରଂ ଏହା ସେମାନଙ୍କର କର୍ତ୍ତବ୍ୟ ଓ ନିଷ୍ଠା ସହ ଜଡ଼ିତ । ନିଜସ୍ୱ ତ୍ୟାଗ ଏବଂ ସମାଜ ପ୍ରତି ଥିବା ନିଃସ୍ୱାର୍ଥପର ସମର୍ପଣ ହିଁ ଶିକ୍ଷକ ସମାଜର ପ୍ରକୃତ ପରିଚୟ ।
ଏହାପରେ ସେ କିଶୋରନଗର ଗସ୍ତରେ ଯାଇ ବାମୁର ଠାରେ ‘ରାଜ୍ୟସ୍ତରୀୟ ଚଷା ମହାସମାବେଶ’ରେ ଯୋଗ ଦେଇଥିଲେ । ଚଷା ସମାଜକୁ ସାମ୍ବିଧାନିକ ପ୍ରଦତ୍ତ ଅଧିକାର ପ୍ରଦାନ କରିବା ପାଇଁ ଆମ ସରକାର ବଦ୍ଧ ପରିକର ବୋଲି ଆଜି ଆୟୋଜିତ ‘ରାଜ୍ୟସ୍ତରୀୟ ଚଷା ମହାସମାବେଶ’ରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଶ୍ରୀ ପ୍ରଧାନ କହିଛନ୍ତି ସମାଜର ସାମଗ୍ରିକ ବିକାଶ ପାଇଁ ଏହି ସମ୍ମିଳନୀରେ ଅନେକ ଗଠନମୂଳକ ପ୍ରସ୍ତାବ ଆସିବା ସହ ସାମ୍ବିଧାନିକ ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ରୋଜଗାର ଉପରେ ଗୁରୁତ୍ୱାରୋପ କରାଯାଇଛି, ଯାହା ଆଗାମୀ ଦିନରେ ଏକ ସକରାତ୍ମକ ପ୍ରଭାବ ପକାଇବ । ସେ କହିଛନ୍ତି ଓଡ଼ିଶାର ଚଷା ଜାତି କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ ଥିଲା ବେଳେ ଚଷା ସମାଜର ଅନ୍ୟ ଜାତି/ଉପଜାତି/ବର୍ଗଙ୍କ ସମେତ ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟ ଏସଇବିସି ତାଲିକାରେ ସ୍ୱୀକୃତିପ୍ରାପ୍ତ ୧୦୮ଟି ସମ୍ପ୍ରଦାୟକୁ କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ କରିବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡାକ୍ତର ବୀରେନ୍ଦ୍ର କୁମାରଙ୍କୁ ପତ୍ର ଲେଖି ଅନୁରୋଧ କରିଛି । ଏହି ସମ୍ପ୍ରଦାୟର ଜାତି/ଉପଜାତି/ବର୍ଗର ଲୋକମାନଙ୍କୁ କେନ୍ଦ୍ରୀୟ ତାଲିକାରେ ଅନ୍ତର୍ଭୁକ୍ତ କରାଗଲେ ସେମାନଙ୍କୁ ସମାନ ଭାବେ ସର୍ବଭାରତୀୟ ସ୍ତରରେ ସ୍ଥାନ ସଂରକ୍ଷଣ ଓ କଲ୍ୟାଣକାରୀ ଯୋଜନାର ସୁବିଧା ମିଳିପାରିବ, ଯାହା ସେମାନଙ୍କର ଆର୍ଥିକ ଓ ଶିକ୍ଷାଗତ ଅଭିବୃଦ୍ଧିରେ ସହାୟକ ହେବ ।

ଏହି କାର୍ଯ୍ୟକ୍ରମ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଶୋରନଗର ଠାରେ ଆୟୋଜିତ ‘ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫’ରେ ଯୋଗଦେବା ସହ ଅଞ୍ଚଳର ପ୍ରଗତି ପାଇଁ ୧୧୮ କୋଟି ଟଙ୍କା ମୂଲ୍ୟର ୩୬ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ୩୧ କୋଟି ଟଙ୍କାର ୨୨ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରାୟ ୧୫୦ କୋଟିରୁ ଅଧିକ ମୂଲ୍ୟର ଏହି ପ୍ରକଳ୍ପ ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସାମାଜିକ କଲ୍ୟାଣ ସହ ଜଡ଼ିତ ଏହି ସମସ୍ତ ପ୍ରକଳ୍ପ ସାଧାରଣ ଜନତାଙ୍କ ଜୀବନଶୈଳୀରେ ବ୍ୟାପକ ସକାରାତ୍ମକ ପରିବର୍ତ୍ତନ ଆଣିବ । ସେ କହିଥିଲେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର କୃଷି କ୍ଷେତ୍ରର ବିକାଶ ଓ ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ପାଇଁ ସଙ୍କଳ୍ପବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି । ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାରଙ୍କ ସହଯୋଗରେ ଏହି ଜିଲ୍ଲାରେ ଜଳସେଚନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯିବା ସହ କୃଷିଜାତ ଦ୍ରବ୍ୟ, ଉଦ୍ୟାନ କୃଷି, ପଶୁପାଳନ, ମତ୍ସ୍ୟଚାଷ ଓ ଦୁଗ୍ଧ ଚାଷ ଭଳି ଆନୁଷାଙ୍ଗିକ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇଁ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯିବ ।


