ଅନୁଗୁଳ – ଭିଜିଲାନ୍ସ ଜାଲରେ ପଡ଼ିଲେ ତାଳଚେର ଥାନା ଏଏସଆଇ ଧରଣୀଧର ନାଥ । 35 BNSS ବେଲ କରାଇ ଦେବା ପାଇଁ ଜନ୍ଦାବାହାଳ ଗ୍ରାମର ପ୍ରୀତି ରଞ୍ଜନ ଭୁକ୍ତା ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କ ଭିଜିଲାନ୍ସ କାବୁ କରିଥିଲା । ଏହାପରେ ଧରଣୀଧରଙ୍କ ପୈତୃକ ଘର ବାଗଡ଼ିଆ ଥାନା ଖମାର ଏବଂ ତାଳଚେର ହାଣ୍ଡିଧୁଆଁ ଠାରେ ଥିବା ଭଡ଼ା ଘରେ ରେଡ଼ ଚାଲିଛି । ରେଡରେ କଟକ ଏବଂ ଅନୁଗୁଳ ଭିଜିଲାନ୍ସ ବିଭାଗ ୧୧ ଜଣିଆ ଟିମ୍ ସାମିଲ ଥିବା ନେଇ ସୂଚନା ରହିଛି।
ସୂଚନା ଅନୁସାରେ , ଆଜି(ଗୁରୁବାର) ପ୍ରୀତି ରଞ୍ଜନଙ୍କୁ ଏକ ମାମଲାରେ, ଏଏସଆଇ ଧରଣୀଧର ନାଥ ବେଲ କରାଇ ଦେବା ପାଇଁ ୩୦୦୦ ଟଙ୍କା ଲାଞ୍ଚ ମାଗିଥିବା ବେଳେ ପ୍ରୀତି ଅନୁଗୁଳ ଭିଜିଲାନ୍ସ ଅଫିସର ଦ୍ବାରସ୍ଥ ହୋଇଥିଲେ । ଗତ ଏପ୍ରିଲ ମାସ ପ୍ରୀତି ରଞ୍ଜନ ଚୋରା ବିଦେଶୀ ମଦ କାରବାର କରୁଥିବା ନେଇ ଥାନାରେ ମାମଲା ହୋଇଥିଲା । ତାଙ୍କ ପାଖରୁ ଚାରି ଲିଟର ବିଦେଶୀ ମଦ ଜବତ ହୋଇଥିଲା । କିନ୍ତୁ ସେଇ କେସକୁ ନେଇ ବେଲ କରାଇଦେବାକୁ କହି ଧରଣୀଧର ପ୍ରୀତି ରଞ୍ଜନଙ୍କୁ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଯାହାକୁ ନେଇ ପ୍ରୀତି ଅନୁଗୁଳ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଏଥିପାଇଁ ଭିଜିଲାନ୍ସ ବିଭାଗର ନିର୍ଦେଶ ଅନୁସାରେ ପ୍ରୀତି ରଞ୍ଜନ ଲାଞ୍ଚ ଟଙ୍କା ନେଇ ଥାନାକୁ ଯାଇଥିଲେ । ଥାନାରେ ସେ ଧରାଣୀଧରଙ୍କୁ ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ବିଭାଗ କାବୁ କରିନେବା ସହ ଲାଞ୍ଚ ଟଙ୍କା ଜବତ କରିଛି ।

