ଆଠମଲ୍ଲିକ – ମଧ୍ୟାହ୍ନ ଭୋଜନ ଚାଉଳ ଚାଲାଣ ବେଳେ ଧରା ପଡିଲେ ପ୍ରଧାନ ଶିକ୍ଷକ । କାର ସହ ମଧ୍ୟାହ୍ନ ଭୋଜନ ଚାଉଳ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା କୁର୍ତ୍ତିବାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ନାୟକ ରାତିରେ ବିଦ୍ୟାଳୟରୁ ଏକ କୁଇଣ୍ଟାଲ ମଧ୍ୟାହ୍ନ ଭୋଜନ ଚାଉଳ ଚାଲାଣ ନେଉଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ଧରା ପଡିଛନ୍ତି । ଏହି ଘଟଣାକୁ ନେଇ ଆଠମଲ୍ଲିକ ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟରେ ପାଲଟିଛି ।
ସୂଚନା ଅନୁସାରେ ,ଉକ୍ତ ବିଦ୍ୟାଳୟରେ ପୂର୍ଵରୁ କିଛି ସାମଗ୍ରୀ ଚୋରି ହୋଇ ଥିଲା । ଏହା ପରେ ଗ୍ରାମବାସୀ ମାନେ ଉକ୍ତ ବିଦ୍ୟାଳୟକୁ ରାତ୍ରୀ ସମୟରେ ଅନେକ ଥର ଯାଞ୍ଚ କରୁଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ତାଙ୍କର ଏକ କାର ଯୋଗେ ଦୁଇଟି ବସ୍ତାରେ ଥିବା ଏକ କୁଇଣ୍ଟାଲ ଚାଉଳ ହେବ ବିଦ୍ୟାଳୟରୁ ରାତିରେ ଆଣୁଥିବା ବେଳେ ଗ୍ରାମର କିଛି ଯୁବକ ଦେଖିଥିଲେ । ପରେ ଉକ୍ତ ଯୁବକ ମାନେ ଯାଇ ଗ୍ରାମବାସୀଙ୍କୁ ଜଣାଇବା ପରେ ଗ୍ରାମବାସୀ ମାନେ ଏକଜୁଟ ହୋଇ ଆସି ପ୍ରଧାନ ଶିକ୍ଷକଙ୍କୁ ଘେରି ଯାଇ ପଚରାଉଚରା କରିଥିଲେ । ରାତି ୮ ଟା ରେ କାହିଁକି ବିଦ୍ୟାଳୟକୁ ଆସିଛନ୍ତି ବୋଲି ପଚାରିବାରେ ପ୍ରଧାନଶିକ୍ଷକ କିଛି ଉତ୍ତର ନ ଦେଇ ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ । ପରେ ଗ୍ରାମବାସୀ ମାନେ ପ୍ରଧାନଶିକ୍ଷକଙ୍କର କାରକୁ ଯାଞ୍ଚ କରିଥିବା ବେଳେ ଦୁଇ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ଥିବା ଦେଖିବାକୁ ପାଇଥିଲେ । ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଥିଲା । ପୂର୍ବରୁ ମଧ୍ୟ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚାଲାଣ ହୋଇ ଥିବା ଅଞ୍ଚଳବାସୀ ଜାଣିବାକୁ ପାଇଥିଲେ । ପରେ ଗ୍ରାମବାସୀମାନେ ଠାକୁରଗଡ଼ ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ଠାକୁର ଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଗ୍ରାମବାସୀମାନେ ମଧ୍ୟାହ୍ନ ଭୋଜନ ଚାଉଳ ସହ ଉକ୍ତ କାରକୁ ହସ୍ତାନ୍ତର କରିଥିଲେ । ଏଥିସହ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ମଧ୍ୟ ଠାକୁରଗଡ଼ ପୁଲିସ ଥାନାକୁ ଆଣି ପଚରାଉଚରା କରିଥିଲା । ଏହି ସମ୍ପର୍କରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ବେଳେ ପୁଲିସ ଏକ ଷ୍ଟେସନ ଡାଈରୀ କରି ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି ।

