ଅନୁଗୁଳ – ନାଲକୋନଗର କ୍ବାଟର ଭିତରେ ପଶି ମହିଳାଙ୍କୁ ହତ୍ୟା କରିବା ଘଟଣାର ପର୍ଦାଫାଶ କରିଛି ପୁଲିସ । ଏକ ତରଫା ପ୍ରେମ କରିବା ପରେ ମହିଳାଙ୍କୁ ପ୍ରେମ ନିବେଦନ କରି ନିରାଶ ହେବା ପରେ ମହିଳାଙ୍କୁ ହତ୍ୟା କରିଥିଲା ଯୁବକ ।

ଅନୁଗୁଳ ଜିଲ୍ଲା ନାଲକୋ କ୍ୱାଟର ଲାଇନ୍ ରେ ବିଗତ ଦେଢମାସ ପୂର୍ବେ ହତ୍ୟାକାଣ୍ଡ ଘଟିଥିଲା । ଦେଢମାସ ପରେ ପୁଲିସ ଘଟଣା ଉପରୁ ପରଦା ହଟାଇଛି । କ୍ବାଟର ଭିତରେ ହତ୍ୟାକାଣ୍ଡ ହୋଇଥିବା ବେଳେ ଚୋରି କରିବା ପରେ ହତ୍ୟାକାଣ୍ଡ ରୂପ ଦେଇଥିବା ଯୋଗୁଁ ପୁଲିସ ପାଇଁ ଏହା ଚ୍ୟାଲେଞ୍ଜ ହୋଇଥିଲା । ଏଥିପାଇଁ ଅପରେସନ ସାଇଲେଣ୍ଟ କୋବ୍ରା କରିଥିଲା ପୁଲିସ । ଆଖପାଖ ଅଞ୍ଚଳର ସି ସି ଟିଭି ଜାଞ୍ଚ ସହ ବିଭିନ୍ନ ଲୋକଙ୍କୁ ପଚରାଉଚରା କରିବା ପରେ ହତ୍ୟାକାରୀକୁ ପାଇଁ ପାରିଥିଲା ପୁଲିସ । ପୁଲିସ କହିବା ଅନୁସାରେ ଏକ ତରଫା ପ୍ରେମରୁ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାକାରୀ ବାରସିଂହା ଗାଁର ତପନ କୁମାର ସାହୁ । ସେ ଜଣେ ପାଇପ ମିସ୍ତ୍ରୀ ହୋଇଥିବା ବେଳେ ନାଲୋକ ଅଞ୍ଚଳରେ ପାଇପ କାମ କରନ୍ତି । ଏହି ପାଇପ କାମ ପାଇଁ ସେ କାର୍ତ୍ତିକ ପ୍ରଧାନଙ୍କ କ୍ବାଟରକୁ ମଧ୍ୟ କେବେ କେବେ ଯାଇଥିଲେ । ସେଠାକୁ ଯିବା ଭିତରେ କାର୍ତ୍ତିକଙ୍କ ସ୍ତ୍ରୀ ମଧୁସ୍ମିତା ଙ୍କୁ ହତ୍ୟାକାରୀ ତପନ ଏକ ତରଫା ପ୍ରେମ କରି ବସିଥିଲା । ସେହି ଏକତରଫା ପ୍ରେମ ପାଇଁ ଡିସେମ୍ବର ୧ ତାରିଖ ଦିନ କାର୍ତ୍ତିକ ଡ୍ୟୁଟି ଯିବା ପରେ ପରେ ତପନ କ୍ବାଟରକୁ ଯାଇଥିଲା । ଆଗରୁ ଯିବା ଆସିବା ଥିବାରୁ ଏବଂ ପାଇପ କାମ ଥିବା ଯୋଗୁଁ ମଧୁସ୍ମିତା ତାକୁ ଭିତରକୁ ଆସିବାକୁ ଦେଇଥିଲେ । ତେବେ ଭିତରକୁ ପଶିବା ପରେ ତପନ , ମଧୁସ୍ମିତାଙ୍କୁ ପ୍ରେମ ନିବେଦନ କରିଥିଲା । ମଧୁସ୍ମିତା ଏହା ଶୁଣି ପ୍ରତିକ୍ରିୟା ପ୍ରକାଶ କରିବା ସହ ପୁଲିସର ଧମକ ଦେଇଥିଲେ । ଏଥିରେ ଭୟଭୀତ ହୋଇ ତପନ ଏକ ଚୁନରୀରେ ମଧୁସ୍ମିତାଙ୍କ ବେକକୁ ଚିପି ଆରୀ ଦେଇଥିଲା । ଆଉ ପରେ ଏହାକୁ ଚୋରିର ରୂପ ଦେବାପାଇଁ ମଧୁସ୍ମିତା ଙ୍କ ମଙ୍ଗଳସୁତ୍ର , କାନ ଫୁଲ ଆଦି ନେଇ ଫେରାର ହୋଇ ଯାଇଥିଲା । ଆଜି ସାମ୍ବାଦିକ ସମ୍ମିଳନୀ କରି ପୁଲିସ ହତ୍ୟାକାଣ୍ଡ ଉପରୁ ସମସ୍ତ ପରଦା ହଟାଇବା ସହ ଚୋରି ହୋଇଥିବା ସୁନା ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା କହିଛି ।

