ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ପୁରୁଣା ଜରାସିଂହା ଗ୍ରାମର ଚୋରା ମଦ କାରବାରକୁ ବିରୋଧ କରି ମଦ ବୋତଲ ଭାଙ୍ଗି ଦେଇଛନ୍ତି ଗାଁର ବହୁ ମହିଳା । ଏହା ସହ ବେପାରି ପାଖକୁ ମଦ ଆଣି ଦେଇଥିବା ଯୁବକକୁ ଗ୍ରାମବାସୀମାନେ ଅଟକ ରଖିବା ପରେ ପୁଲିସର ଜିମା ଦେଇଛନ୍ତି ।

ସୂଚନା ଅନୁସାରେ , ଅନୁଗୁଳ ସଦର ଥାନା ଅନ୍ତର୍ଗତ ପୁରୁଣା ଜରସିଂହା ଗାଁରେ ଚୋରା ମଦ ବିକ୍ରି ଉପରେ ଗ୍ରାମ୍ୟ କମିଟି ପକ୍ଷରୁ ରୋକ ଲଗା ଯାଇଛି । ଏପରିକି ଗାଁରେ କୌଣସି ଯାନିଯାତ୍ରା ଆଦିରେ କେହି ଯଦି ମଦ୍ୟପାନ କରି କୌଣସି ବିଶୃଙ୍ଖଳିତ କାର୍ଯ୍ୟ କରେ, ତେବେ ତାକୁ ସାବାଡ଼ କରି ପୁଲିସକୁ ହସ୍ତାନ୍ତର କରିଥାନ୍ତି ଗାଁ ଲୋକେ। ଗ୍ରାମ୍ୟ କମିଟିର ଏଭଳି ନିୟମ ପରେ ଗାଁରେ ଚୋରା ମଦ କାରବାର ବନ୍ଦ ହୋଇଯାଇଥିଲା । ହେଲେ ଗତ କିଛିଦିନ ହେବ ଗାଁର ଜିତେନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଉଭୟ ଦେଶୀ ଓ ବିଦେଶୀ ମଦ ଚୋରା ଭାବେ ବିକ୍ରି କରୁଥିବା ଲୋକେ ଜାଣିବାକୁ ପାଇଥିଲେ । ରବିବାର ଉକ୍ତ ବେପାରୀ ପାଖରେ କାମ କରୁଥିବା ଦିନେଶ ନାଏକ ନାମକ ଏକ ଯୁବକ ବିପୁଳ ପରିମାଣରେ ମଦ ଧରି ଯାଉଥିବା ବେଳେ ଗାଁ ଲୋକ ତାକୁ ଅଟକ ରଖିଥିଲେ । ଏହା ସହ ୧୧୨କୁ ଫୋନ କରି ପୁଲିସକୁ ମଧ୍ୟ ଖବର ଦେଇଥିଲେ । ବାରମ୍ବାର ଯୋଗାଯୋଗ କରିବା ପରେ ମଧ୍ୟ ଘଟଣା ସ୍ଥଳକୁ ପୁଲିସ ଆସିବାକୁ ବିଳମ୍ବ ହେବା କାରଣରୁ ମହିଳା ମାନେ ଉତ୍ତ୍ୟକ୍ତ ହୋଇ ଏହି ମଦ ଗୁଡିକୁ ଗାଁ ଦାଣ୍ଡରେ ବାଡେଇ ଭାଙ୍ଗି ଦେଇଥିଲେ । ବିଳମ୍ବରେ ହେଲେ ମଧ୍ୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ପୁଲିସ ଦିନେଶଙ୍କୁ କାବୁ କରିବା ସହ ଜିତେନ୍ଦ୍ରଙ୍କ ଘର ମଧ୍ୟ ତଲାସୀ କରିଥିଲା ।