ଭିଜନ -୨୦୨୩ , ଅନୁଗୁଳ ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ ହେବ

ଅନୁଗୁଳ ଆସନ୍ତା ୨୦୨୩ ମସିହାରେ ଅନୁଗୁଳ ଜିଲ୍ଲା ୩୦ବର୍ଷରେ ପଦାର୍ପଣ କରିବ । ଆଉ ଏହି ୨୦୨୩ ବେଳକୁ ଅନୁଗୁଳ ଏକ ଅଗ୍ରଣୀ ଜିଲ୍ଲା ଭାବେ ସାରା ରାଜ୍ୟ ତଥା ଦେଶରେ ପରିଗଣିତ ହେବା ଲକ୍ଷ ରଖିଛି ଜିଲ୍ଲା ପ୍ରଶାସନ । ଏଥିପାଇଁ ଅନେକ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ ଯାଇଛି ବୋଲି ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାକୁ ଖଣି କ୍ଷେତ୍ର ବିକଶିତ ଜିଲ୍ଲା ଭାବରେ ପରିଣତ କରିବାକୁ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଜିଲ୍ଲା ପ୍ରଶାସନ ‘ ଭିଜନ – ୨୦୨୩ ପ୍ରସ୍ତୁତ କରିଛି । ପ୍ରକୃତିର ସୁରକ୍ଷା , ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଓ ମାନବ ସମ୍ବଳର ବିକାଶ ଏହି ଭିଜନ – ୨୦୨୩ର ମୁଖ୍ୟ ବୈଶିଷ୍ଟ୍ୟ ବୋଲି ଆଜି ପୂର୍ବାହ୍ନରେ ସ୍ଥାନୀୟ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଶିକ୍ଷା ସମାଜର ଏକ ପ୍ରମୁଖ ଅଙ୍ଗ । ଶିକ୍ଷାର ବିକାଶକୁ ଦୃଷ୍ଟିରେ ରଖି ତାଳଚେରରେ ପ୍ରତିଷ୍ଠା ହେବ ବିଶ୍ବ ସ୍ତରୀୟ ପାଠାଗାର । ଚଳିତ ବର୍ଷ ଶେଷ ସୁଦ୍ଧା ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟରେ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତିକରଣ ବ୍ୟବସ୍ଥା କରାଯିବ । ସବୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ପ୍ରତିବଦଳରେ ଜିଲ୍ଲାରେ ୫ଟି କେନ୍ଦ୍ରୀୟ ରୋଷଗାର ନିର୍ମାଣ କରାଯିବ ଯାହା ଦ୍ଵାରା ୧ଲକ୍ଷ ୨୧ ହଜାର ୯୨୪ ଜଣ ଛାତ୍ର ଛାତ୍ରୀ ଏଥିରେ ଉପକୃତ ହେବା ସହ ଶିକ୍ଷକମାନେ ଶିକ୍ଷା ଦାନରେ ଅଧିକ ସମୟ ନିୟୋଜିତ କରିପାରିବେ । ଏହାଦ୍ୱାରା ଶିକ୍ଷାର ଗୁଣାତ୍ମକ ବିକାଶ ସମ୍ଭବ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ୫୦ଟି ପାଉଁଡିଭୁୟାଁ ଉନ୍ନୟନ ସଂସ୍ଥାର ବିଦ୍ୟାଳୟରେ ବାଲା କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ  ଯଦ୍ଵାରା ଏହି ସମ୍ପ୍ରଦାୟର ଛାତ୍ର ଛାତ୍ରୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ । ରାଜ୍ୟର ପ୍ରଥମ ଜିଲ୍ଲା ଭାବରେ ଷଷ୍ଠ ଶ୍ରେଣୀରୁ ଊର୍ଦ୍ଧ୍ବ ଛାତ୍ର ଛାତ୍ରୀଙ୍କ ପାଇଁ ଓଡିଆ ଭାଷାରେ ସ୍ଵତନ୍ତ୍ର ସହଜ ପାଠ୍ୟ ବିଷୟବସ୍ତୁ ପ୍ରସ୍ତୁତ କରାଯାଇଛି ଯାହାଦ୍ୱାରା ଛାତ୍ର ଛାତ୍ରୀମାନେ ସହଜରେ ପାଠ ବୁଝିପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୮ମ ଏବଂ ୯ମ ଛାତ୍ର ଛାତ୍ରୀ ମାନଙ୍କୁ ୨ଟି ଆନ୍ତର୍ଜାତୀୟ ଭାଷାରେ ଶିକ୍ଷା ଦାନ କରାଯିବ ଯାହା ଫଳରେ ଛାତ୍ର ଛାତ୍ରୀମାନଙ୍କ ପାଇଁ ପରବର୍ତ୍ତୀ ସମୟରେ ଅନ୍ୟ ଦେଶମାନଙ୍କରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ପ୍ରତିଯୋଗିତାମୂଳକ ପରିକ୍ଷାରେ ସଫଳ ହେବା ପାଇଁ ଛାତ୍ର ଛାତ୍ରୀମାନଙ୍କ ପାଇଁ ହାଇବ୍ରିଡ୍ କ୍ଲାସ୍ ରୁମ୍ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ଛାତ୍ର ଛାତ୍ରୀମାନଙ୍କ ବୌଦ୍ଧିକ ଓ ସାମାଜିକ ଚେତନାର ବିକାଶ ପାଇଁ “ ଜିରୋ ଆୱାର ପିରିଅଡ୍ ବିଦ୍ୟାଳୟମାନଙ୍କରେ ଆରମ୍ଭ ହେବ ।

ଜିଲ୍ଲାବାସୀଙ୍କୁ ଗୁଣାତ୍ମକ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦକ୍ଷତା ମାନ୍ୟତା , କାୟାକଳ୍ପ ପ୍ରମାଣନ ଓ ଲକ୍ଷ୍ୟ ପ୍ରମାଣନ ଯୋଜନା ପ୍ରସ୍ତୁତ କରାଯାଇଛି । ଗ୍ରାମାଞ୍ଚଳରେ ପ୍ରସୂତି ଆସନ୍ନ ମହିଳାମାନଙ୍କ ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୁମୀ ସମ୍ବଳିତ ମା ଗୃହ ନିର୍ମାଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଟ୍ରମା କେୟାର ସେଣ୍ଟରରେ ଆଗୁଆ ଜୀବନ ସୁରକ୍ଷା ଆମ୍ବୁଲାନ୍ସ ବ୍ୟବହାର କରାଯିବ ଯାହା ଦ୍ଵାରା ରୋଗୀମାନଙ୍କ ଜୀବନ ଅଧିକ ସୁରକ୍ଷିତ ରହିପାରିବ ।

ଜିଲ୍ଲାର କୃଷକ ମାନଙ୍କର ଜୀବନ ଓ ଜିବିକାରେ ଉନ୍ନତି ଆଣିବା ପାଇଁ ପାଖା ପାଖି ୧୦ ହଜାର କୃଷି ଉତ୍ପାଦନ କ୍ଲଷ୍ଟର ପ୍ରସ୍ତୁତ କରାଯିବ । ପ୍ରତି କ୍ଲଷ୍ଟରରେ ୪୦୦/ ୫୦୦ ଜଣ ଚାଷୀ ଉପକୃତ ହେବେ । ଏହା ମାଧ୍ୟମରେ ଜିଲ୍ଲାର ୩୦ ହଜାର ଚାଷୀକର ଆୟ ୨୦୨୩ ସୁଦ୍ଧା ଦ୍ବିଗୁଣିତ ହେବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି । ଓଡ଼ିଶା ମିଲେଟ ମିଶନ ଯୋଜନାରେ ଆଠମଲ୍ଲିକ , ଅନୁଗୋଳ , ଛେଣ୍ଡିପଦା , କିଶୋରନଗର ଓ ପାଲଲହଡା ବ୍ଳକ୍‌ରେ ୨୦୨୩ ସୁଦ୍ଧା ମାଣ୍ଡିଆ , ସୁଆଁ , ବାଜରା ପ୍ରଭୃତି ଶସ୍ୟର ଚାଷ ୩୧୨ ହେକ୍ଟର ଜମିରୁ ୬୧୨ ହେକ୍ଟର କୁ ବୃଦ୍ଧି କରାଯିବ। ଆଠମଲ୍ଲିକ , ଛେଣ୍ଡିପଦା ଓ କିଶୋରନଗର ବ୍ଲକରେ ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରାଯିବା ସହ ଓମଫେଡ୍ ‌ ଦୁଗ୍ଧ ପରିବହନ ରାସ୍ତାକୁ ସଂମ୍ପ୍ରସାରଣ କରାଯିବ ।

କିନ୍ନର ମାନଂକ ପାଇଁ ତିରିପୁରଠାରେ ଏକ କ୍ଲଷ୍ଟାଇଲ୍ ଉଦ୍ୟୋଗ ପ୍ରତିଷ୍ଠା କରାଯିବ । ଏଥିରେ ଜିଲ୍ଲାର ପାଖାପାଖି ୫୦୦ ଜଣ କିନ୍ନର ନିଯୁକ୍ତି ପାଇପାରିବେ । ସହରାଞ୍ଚଳ ସମେତ ଗ୍ରାମାଞ୍ଚଳର ବର୍ଜ୍ୟବସ୍ତୁ ୩ଟି ପର୍ଯ୍ୟାୟରେ ପରିଚାଳନା କରାଯାଇ ପରିମଳ ବ୍ୟବସ୍ଥାକୁ ଆହୁରି ଅଧିକ ସୁଦୃଢ଼ କରାଯିବ । ଜିଲ୍ଲାର ସମସ୍ତ ୮ଟି ବ୍ଳକରେ ୨୨୫ଟି ଗ୍ରାମ ପଞ୍ଚାୟତରେ ଗ୍ରାମୀଣ ପ୍ରକଳ୍ପ ଯଥା ମଡେଲ ପାର୍କ , ଖୋଲା ବ୍ୟାୟାମ ଶାଳା , ୨୨୫ଟି ପୁଷ୍କରିଣୀ , ୫୦ଟି ଗ୍ରାମୀଣ ଗୋଷ୍ଠୀ କେନ୍ଦ୍ର ଓ ୪୦ଟି ହାଟର ଆଧୁନିକିକରଣ କରାଯିବ । କିଶୋରନଗର ବ୍ଳକରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଖୁବ୍ ଶିଘ୍ର ଆଠମଲ୍ଲିକ ବ୍ଲକରେ ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଜୁନ୍‌ ମାସ ଶେଷ ସୁଦ୍ଧା ୭୩.୩୭ ଏମ୍ ଏଲ୍ ଡି କ୍ଷମତା ବିଶିଷ୍ଟ ୱାଟର ଟ୍ରିଟମେଣ୍ଟ ପ୍ଳାଣ୍ଟ ମାଧ୍ୟମରେ ୯୦ ହଜାର ଗୃହକୁ ପାନୀୟ ଜଳ ଯୋଗାଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଅନୁଗୁଳ ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ପାନ୍ ସିଟି ପ୍ରସ୍ତାବିତ ଅନୁଗୁଳ ସ୍ମାର୍ଟ ସିଟି ପରିଚାଳନା ବ୍ୟବସ୍ଥାକୁ ହାତକୁ ନିଆଯାଇଛି ।

କ୍ରୀଡା ଓ ସାମାଜିକ କଲ୍ୟାଣର ବିକାଶ ପାଇଁ ଅନୁଗୁଳ ଓ ତାଳଚେର ମିନି ଷ୍ଟାଡିୟମ୍ଭ ଓ ବ୍ଲକ୍ ସଦର ମହୁକୁମାର ଷ୍ଟାଡିୟମଗୁଡିକର ଉନ୍ନତିକରଣ କରାଯିବ । ଅନୁଗୁଳ ଖେଳ ମହୋତ୍ସବ ଚଳିତ ବର୍ଷ ମେ ମାସ ପରେ ଆରମ୍ଭ ହେବା ସହ କ୍ରୀଡା କ୍ଷେତ୍ରରେ ଥିବା ପ୍ରତିଭା ଚିହ୍ନଟ ନିମନ୍ତେ କ୍ରୀଡା ବୃଦ୍ଧି ପ୍ରଦାନ କରାଯିବ । ଅନୁଗୁଳର ସାତକୋଶିଆ , ଡେରଜାଙ୍ଗ , ଶୈଳଶ୍ରୀକ୍ଷେତ୍ର , ପାଲଲହଡାର ଦ୍ବିତୀୟ ଚିଲିକା , ଖୁଲୁଡି ଓ ପାଉଡିଭୂୟାଁ ଏବଂ ଆଠମଲ୍ଲିକର ବିନିକେଇ , ମାନଜୋର , ଦେଉଳଝରି ପ୍ରଭୃତି ପର୍ଯ୍ୟଟନ ସ୍ଥଳୀକୁ ବିକଶିତ କରିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ହାତକୁ ନିଆଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored