ମା’କୁ ହତ୍ଯା କରି ପୁଅ ଆତ୍ମହତ୍ଯା କରିଥିବା ସନ୍ଦେହ

ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ଭାଲୁଧରିସାହିରେ ପାରିବାରିକ କଳହରୁ ଧାରୁଆ ଅସ୍ତ୍ରରେ ମା’ର ବେକ କାଟିଛି ନିଜ ଜନ୍ମ କଲା ପୁଅ । ପରେ ପୁଅ ନିଜ ବେକରେ ରସି ଲଗେଇ ଆତ୍ମହତ୍ୟା କରିବା ଘଟଣା ଶନିବାର ଠାରୁ ଚର୍ଚ୍ଚାର ବିଷୟ ପାଲଟିଛି । ମୃତକ ହେଲେ ଦ୍ରୌପଦୀ ସାହୁ (୭୦) ଓ ତାଙ୍କର ପୁଅ ରଞ୍ଜିତ (୩୧) । ପୁଲିସ ସୂତ୍ରରୁ ପ୍ରକାଶ ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ଭାଲୁଧରିସାହିରେ ରାମଚନ୍ଦ୍ର ସାହୁଙ୍କ ସ୍ତ୍ରୀ ଦ୍ରୌପଦୀ ଓ ସାନପୁଅ ରଂଜିତ ରହି ଆସୁଥିଲେ । ରାମଚନ୍ଦ୍ର ବହୁ ବର୍ଷ ପୂର୍ବେ ପରିବାର ଛାଡ଼ି ବାବାଜୀ ହୋଇ ଯାଇଥିଲେ । ନିଜ ଘରକୁ ଯିବା ଆସିବା ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଥିଲେ । ତାଙ୍କ ପରିବାରର ତିନୋଟି ବଡ଼ ଝିଅ ବିବାହ କରିସାରିଥିଲେ। ଏକମାତ୍ର ପୁଅ ରଞ୍ଜିତ ଟାଟା ପ୍ଲାଣ୍ଟରେ ରିଗର ଫିଟର ଭାବେ କାର୍ଯ୍ୟ କରିବା ସହ ସେୟାର ମାର୍କେଟିଂ ଓ ନିଜ ଘରେ ଛତୁ ଚାଷ କରି ଗୁଜୁରାଣ ମେଣ୍ଟାଇ ଥାନ୍ତି । ଦ୍ରୌପଦୀଙ୍କ ବୟସ ଦିନକୁ ଦିନ ବଢ଼ୁ ଥିବାରୁ ପୁଅ ରଞ୍ଜିତଙ୍କୁ ବିବାହ କରିବା ପାଇଁ ମନସ୍ଥ କରିଥିଲେ । କିନ୍ତୁ ରଞ୍ଜିତ ବିବାହ କରିବା ପାଇଁ ଇଛୁକ ନଥାନ୍ତି । ଫଳରେ ପୁଅକୁ ମା’ ବିବାହ କରିବାକୁ ବାରମ୍ବାର ବୁଝାଉଥାନ୍ତି । ହେଲେ ଆଧାତ୍ମିକ ଚିନ୍ତାଧାରା କରୁଥିବା ପୁଅ ବିବାହ ନ ହେବାକୁ ରୋକ୍ ଠୋକ୍ ମନା କରୁଥାନ୍ତି । ହେଲେ ମା ପୁଅଙ୍କ ମଧ୍ୟରେ କେବେ କଳି ଝଗଡ଼ା ହୋଇ ଥିବା ପାଖ ପଡୋଶୀ କେହି ଜାଣି ନାହାଁନ୍ତି । ଉଭୟ ମା ପୁଅ ଖୁବ୍ ମେଳାପି ଓ ଶାନ୍ତ ସରଳ ବୋଲି ପାଖ ପଡୋଶୀ ପ୍ରକାଶ କରିଛନ୍ତି । ସାନ ଜ୍ବାଇଁ ମନୋଜ ମଝିରେ ମଝିରେ ସେ ଶାଶୁ ଓ ଶଳା ରଞ୍ଜିତଙ୍କ ସହ ଫୋନ ଜରିଆରେ ଘରର ଭଲମନ୍ଦ କଥା ପଚାରି ବୁଝନ୍ତି । ସେ ଶେଷ ଥର ପାଇଁ ଗୁରୁବାର ଦିନ କଥା ହୋଇଥିଲେ । ହେଲେ ଶୁକ୍ରବାର ଦିନ ସକାଳୁ ଫୋନ ଯୋଗେ ଶାଶୁଙ୍କ ଘରେ ଥିବା ଲ୍ୟାଣ୍ଡ ଫୋନ କେହି ଉଠାଉ ନଥିବା ବେଳେ ଶଳା ମଧ୍ୟ ମୋବାଇଲ୍‌ ଫୋନ ଉଠାଇ ନଥିଲେ ।  ତେବେ ମା’ ଓ  ପୁଅ କାହିଁକି ଫୋନ୍‌ ଉଠାଉ ନାହାନ୍ତି ବୋଲି ପାଖ ପଡ଼ୋଶୀରେ ଥିବା ଏକ ଦୋକାନୀଙ୍କୁ ଖବର ଦେଇଥିଲେ । ରଞ୍ଜିତଙ୍କ ସମ୍ପର୍କୀୟ ଭାଇ ଘର ନିକଟକୁ ଯାଇ ରଞ୍ଜିତଙ୍କୁ ଡ଼ାକି ଥିଲେ । ହେଲେ ଅନ୍ଧାର ଥିବାରୁ କବାଟ ଖୋଲି ଟର୍ଚ୍ଚ ମାରି ଦେଖିବକୁ ପାଇଲେ ଫ୍ୟାନ୍‌ରେ ଏକ ପ୍ଲାଷ୍ଟିକ ଦଉଡ଼ିରେ ଝୁଲୁଥିବା ଦେଖି ପାଖ ପଡୋଶୀଙ୍କୁ ଜଣାଇ ବଞ୍ଚିଥିବା ଭାବି ଝୁଲନ୍ତା ଫ୍ୟାନରୁ ଅଲଗା କରିଥିଲେ । ପରେ ଦେଖିବକୁ ପାଇଲେ ଦ୍ରୌପଦୀ ମଧ୍ୟ ଅନ୍ୟ ଏକ ଘର ଭିତରେ ରକ୍ତ ଜୁଡୁବୁଡ଼ି ଅବସ୍ଥାରେ ପଡ଼ିଛନ୍ତି । ରାତି ୮ଘଟିକା ସମୟରେ ଖବର ପାଇ ନାଲକୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
1

Share:

Share on facebook
Share on twitter
Share on whatsapp
Share on telegram

Sponsored