ମା’ବାୟାଣୀଙ୍କ ବାର୍ଷିକ ଯାତ୍ରା ସମ୍ପନ୍ନ,ଲକ୍ଷାଧିକ ଭକ୍ତଙ୍କ ସମାଗମ

ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ପାତ୍ରପଡା ଗ୍ରାମର ମା’ବାୟାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଲକ୍ଷାଧିକ ଜନସମାଗମରେ ଗୁରୁବାର ଗ୍ରାମ୍ୟ କମିଟିର ନୂତନ ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ଚକ୍ରଧର ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ପୂଜା ଦିନ ପ୍ରତ୍ୟୁଷରୁ ଗ୍ରାମବାସୀ ଓ ଠାକୁରାଣୀଙ୍କ ପୂଜକ କ୍ଷୀରୋଦ ଦେହୁରୀ , ଲିକୁନ କୁମାର ଦେହୁରୀ ,ରଞ୍ଜନ କୁମାର ଦେହୁରୀ , ବାଳ୍ମିକୀ ଦେହୁରୀଙ୍କ ସହଯୋଗରେ ଯଥା ରୀତିନୀତି ପରମ୍ପରା ଅନୁଯାୟୀ ପ୍ରଥମେ ମା’ହିଙ୍ଗୁଳା ମନ୍ଦିର , ବନଦୁର୍ଗା ମନ୍ଦିର ,ପଥର ପୁଞ୍ଜି , କାଳୀମନ୍ଦିର , ଜଗନ୍ନାଥ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ମୂର୍ତିରେ ପୁଜାର୍ଚ୍ଚନା କରାଯାଇଥିବାବେଳେ ବାଘଦରୀ ମଠରେ ଯଜ୍ଞ କରାଯାଇଥିଲା । ଯାତ୍ରା ସ୍ଥଳରେ ଭକ୍ତ ମାନଙ୍କ ପାଇଁ ପାତ୍ରପଡା ଗ୍ରାମବାସୀ ଓ ଗ୍ରାମର ଭଞ୍ଜନଗର ଯୁବକ ସଂଘଙ୍କ ଦ୍ୱାରା ଅନ୍ନପ୍ରସାଦ ବଣ୍ଟନ କରାଯାଇଥିବା ବେଳେ ପାତ୍ରପଡା ଗ୍ରାମ ମା’ବାୟାଣୀ କ୍ଲବର ଲୋଚନ ସାହୁ , ରବିନ୍ଦ୍ର ଆଚାର୍ଯ୍ୟ ଓ ସଭ୍ୟ ମାନଙ୍କ ଦ୍ୱାରା ଥଣ୍ଡା ପାନୀୟ ଜଳ ଯୋଗାଇ ଦିଆଯାଇଥିଲା । ଠାକୁରାଣୀଙ୍କ ସ୍ଥଳରେ ପ୍ରାୟ ୫ ଶହରୁ ଉର୍ଦ୍ଧ୍ବ ମାନସିକଧାରୀ ଛୋଟ ପିଲାମାନଙ୍କର ମୁଣ୍ଡନ କରାଯାଇଥିବା ବେଳେ ବିଭିନ୍ନ ମାନସିକ ନେଇ ୧୫ରୁ ଉର୍ଦ୍ଧ ଭକ୍ତ ଅଧିଆ ପଡିଥିଲେ । ଯାତ୍ରା ପଡିଆରେ କୁମାର ବାପିଙ୍କ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବା ଉପରେ କାର୍ଯ୍ୟ କରିଥିଲେ । ଛେଣ୍ଡିପଦା ବିଦ୍ୟୁତ ବିଭାଗ (ଟାଟା ପାୱାର) ପକ୍ଷରୁ ଅଧିକାରୀ ଜିତେନ କୁମାର ସାହୁ ଓ ହାପି ବେହେରାଙ୍କ ନେତୃତ୍ୱରେ କର୍ମଚାରୀ ମାନେ ବିଦ୍ୟୁତର ଅପବ୍ୟବହାର ଏବଂ ସଠିକ ଭାବରେ ଦେୟ ପଇଠ ଇତ୍ୟାଦି ଉପରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଛେଣ୍ଡିପଦା ଓ ବାଗଡିଆ ଥାନା ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ନିମନ୍ତେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏପରିକି ପୀଠ ପରିସରରେ ଥିବା ଜଗନ୍ନାଥ ମନ୍ଦିର,ବାଗଦରୀ ମଠ ଓ ବାଗଦରୀ ଗୁମ୍ଫାରେ ମଧ୍ୟ ଭିଡ ପରିଲକ୍ଷିତ ହୋଇଥିଲା । ତେଣୁ ଜନସମାଗମକୁ ଦୃଷ୍ଟିରେ ରଖି ଏହି ଯାତ୍ରା ଓ ପୂଜା ପ୍ରଶାସନ ଓ ଗ୍ରାମବାସୀଙ୍କ ସହଯୋଗରେ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା ଗ୍ରାମବାସୀଙ୍କ ପକ୍ଷରୁ ପ୍ରକାଶ କରିଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored