ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ବାଗଡିଆ ମାରୁୱାଡି ଧର୍ମଶାଳାରେ ଭଡାରେ ରହୁଥିବା କିଛି ବଙ୍ଗୀୟ ପରିବାରର ଘରେ କେହି ନଥିବା ବେଳେ ଘରର ତାଲା ଓ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଲୁଟେରା ।

ସୂଚନା ଅନୁସାରେ , କଲିକତା ମେଦିନପୁର ଓ ମାଳଡ଼ା ଅଞ୍ଚଳର କିଛି ବଙ୍ଗୀୟ ବ୍ୟବସାୟୀ ମାନେ ପ୍ରାୟ ୧୫ ବର୍ଷରୁ ଉର୍ଦ୍ଧ ହେବ ବାଗଡିଆ ମାରୁୱାଡି ଧର୍ମଶାଳାରେ ଭଡା ନେଇ ରୁହନ୍ତି । ସେଠାରେ ରହି କମଳ, ବେଡିସିଟ ଆଦି ବ୍ୟବସାୟ କରି ଗୁଜୁରାଣ ମେଣ୍ଟାନ୍ତି । ଶନିବାର ସବୁଦିନ ପରି ବଙ୍ଗୀୟ ବ୍ୟବସାୟୀ ମାନେ ବେପାର କରିବା ପାଇଁ ଯାଇଥିଲେ । ହେଲେ, ଫେରିଲା ବେଳେ ରହୁଥିବା ୩ ଟି ଭଡା ଘରର ତାଲା ଓ କବାଟ ଭାଙ୍ଗି ଯାଇଥିବା ଦେଖିଥିଲେ ।
କିଏ ଓ କାହିଁକି କବାଟ ଭାଙ୍ଗିଛି ଚିନ୍ତା କରି ଘର ଭିତରେ ପଶି ଦେଖିବା ବେଳକୁ ସେମାନଙ୍କ ଅର୍ଜିତ ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଘର ଭିତରୁ ଏସକେ ଜାହାଙ୍ଗୀରଙ୍କର ୮୦ହଜାର, ଏସକେ ୟାଜୁଲଙ୍କର ୮ହଜାର, ଲତିଫୁଲ ସେକଙ୍କର ୧୧ହଜାର ଓ ମହମଦ ଇସ୍ମାଇଲ ସେକଙ୍କର ୨୦ହଜାର ୨୦୦ଟଙ୍କା ଚୋରୀ ହୋଇ ଯାଇଥିଲା । ମହାଜନକୁ ଦେବା ପାଇ ୪ ଜଣ ବ୍ୟବସାୟୀ ଏହି ୧ଲକ୍ଷ ୧୯ହଜାର ଟଙ୍କା ରଖିଥିବା କହିଛନ୍ତି । ଟଙ୍କା ଚୋରି ହେବା ନେଇ ବ୍ୟବସାୟୀ ମାନେ ବାଗଡିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବାଗଡିଆ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିଛି ।


