ଅନୁଗୁଳ – ସମଗ୍ର ରାଜ୍ୟରେ ସାଇବର କ୍ରାଇମ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଚାଲିଛି । ସାଇବର କ୍ରାଇମକୁ ଚିହ୍ନଟ କରିବା ପାଇଁ ଅନୁଗୁଳ ଜିଲ୍ଲାରେ ସ୍ୱତନ୍ତ୍ର ପ୍ରୟାସ ଜାରି ରହିଛି । ଏହି କ୍ରମରେ ଅନୁଗୁଳ ସାଇବର ଥାନାରେ ଗତ ୨୯. ୧୦. ୨୦୨୫ରେ ଜଣେ ବ୍ୟକ୍ତି ସାଇବର ଲୁଟ ର ଶିକାର ହୋଇଥିବା ନେଇ ଅଭିଯୋଗ ହେବାପରେ, ଅନୁଗୁଳ ପୁଲିସ ଝାଡ଼ଖଣ୍ଡରୁ ସମ୍ପୃକ୍ତ ସାଇବର ଲୁଟେରାକୁ ଗିରଫ କରିବା ସହ , ତାଠାରୁ ନଗଦ ଟଙ୍କା ଜବତ କରିଥିବା ନେଇ ରବିବାର ସାମ୍ବାଦିକ ସମିଳନୀ ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ,ଗତ ୭. ୧୦. ୨୦୨୫ଦିନ
ଅନୁଗୁଳ ମଦନମୋହନପଡା ଅଞ୍ଚଳର ଏମ ଡି ଅବଦୁଲ୍ଲା ଦୈନିକ ବଜାର ଯାଇଥିଲେ । ସେଠାରେ ତାଙ୍କର ମୋବାଇଲ ହଜି ଯାଇଥିଲା । ଖୋଜାଖୋଜି କରିବା ସତ୍ୱେ ମୋବାଇଲ ଆଉ ମିଳି ନଥିଲା । ଏଣୁ ସେ ନୁଆଁ ମୋବାଇଲ ନେବା ସହ ନୁଆଁ ସିମ ନେଉଥିଲେ । ତେବେ ନୁଆଁ ସିମ ନେବା ପରେ ତାଙ୍କ ଆକାଉଣ୍ଟରୁ ଟଙ୍କା ଗାୟବ ହୋଇଥିବା ଜାଣିବାକୁ ପାଇଥିଲେ । ତାଙ୍କ ଆକାଉଣ୍ଟରୁ ଦୁଇ ଲକ୍ଷ ଟଙ୍କା ଟ୍ରାଜାଙ୍କସନ ହୋଇଥିବା ଜାଣିବା ପରେ ସେ ଗତ ୨୯. ୧୦. ୨୦୨୫ରେ ଅନୁଗୁଳ ସାଇବର ପୁଲିସର ଦ୍ୱାରସ୍ଥ ହୋଇଥିଲେ ।
ଏହି ଘଟଣା ଅଭିଯୋଗ ହେବାପରେ ଅନୁଗୁଳ ସାଇବର ଥାନାରେ ଏକ ମାମଲା ରୁଜୁ କରାଯାଇ ସାଇବର ଲୁଟେରାଙ୍କୁ ଧରିବାପାଇଁ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା। ସାଇବର ପୁଲିସର ତଦନ୍ତରୁ ଜଣାପଡିଥିଲା ଯେ ,ସାଇବର ଲୁଟେରା ଝାଡ଼ଖଣ୍ଡ ଅଂଚଳର । ଫଳରେ ସମ୍ପୃକ୍ତ ସାଇବର ଲୁଟେରାଙ୍କୁ ଧରିବାପାଇଁ ଅନୁଗୁଳ ଏସପି ରାହୁଲ ଜୈନଙ୍କ ନିର୍ଦେଶରେ ଏକ ଟିମ ଗଠନ କରାଯାଇଥିଲା । ଉକ୍ତ ଟିମ ଝାଡ଼ଖଣ୍ଡର ବୋକାରୋ ଥାନା ଅନ୍ତର୍ଗତ ଅନସାରୀ ମହଲ୍ଲାରେ ଚଢ଼ାଉକାରୀ ସାଇବର ଲୁଟେରା ସହନବାଜ ଆଲମ (୨୩)କୁ ଗିରଫ କରିବାକୁ ସକ୍ଷମ ହୋଇଥିଲା । ଏହା ସହ ତାଠାରୁ ୬୧ ହଜାର ୭୭୯ ଟଙ୍କା ଜବତ କରିବା ସହ ଏଟିଏମ, ଚେକ ବୁକ ଓ ପାସ ବୁକକୁ ମଧ୍ୟ ଜବତ କରିଥିଲେ । ସେ ଏହି ଠକାମୀ ରେ ସଶ୍ଳିଷ୍ଠ ଥିବା ପୁଲିସ ଆଗରେ ସ୍ୱୀକାର ମଧ୍ୟ କରିଥିଲା । ତାସହିତ ଏହି ସାଇବର ଲୁଟରେ ସଶ୍ଳିଷ୍ଠ ଥିବା ଅନ୍ୟ ଅଭିଯୁକ୍ତ ଙ୍କୁ ମଧ୍ୟ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସପି ଶ୍ରୀ ଜୈନ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ ଡି ଏସ ପି ଜଗେଶ୍ୱରୀ ବେହେରା, ସାଇବର ଥାନା ଆଇ ଆଇ ସି ଖଲେଶ୍ୱର ସେଠି ପ୍ରମୁଖ ଉପସ୍ଥିତ ଥିଲେ।

